ଇସଲାମାବାଦ: ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ପରେ ପାକିସ୍ତାନ ତାର ବାୟୁସୀମା ଭାରତୀୟ ବିମାନ ପାଇଁ ବନ୍ଦ କରିଦେଇଥିଲା। ପାକିସ୍ତାନ ଏହି ପ୍ରତିବନ୍ଧକକୁ ଆସନ୍ତା ଅଗଷ୍ଟ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ (ପିଏଏ) ଏହି ସୂଚନା ଦେଇଛନ୍ତି। ନୋଟାମ୍ (ବାୟୁସେନାକୁ ନୋଟିସ୍) ଅନୁଯାୟୀ, ଭାରତୀୟ ବିମାନ କମ୍ପାନୀର କୌଣସି ନାଗରିକ କିମ୍ବା ସାମରିକ ବିମାନକୁ ପାକିସ୍ତାନ ଏୟାରସ୍ପେସ୍ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ନିର୍ଦ୍ଦେଶ ଗତକାଲି ସନ୍ଧ୍ୟା ୩ଟା ୫୦ରୁ ଲାଗୁ କରାଯାଇଛି।
ନୋଟିସରେ ସୂଚନା ଦେଇ ପିଏଏ କହିଛି ଯେ ଏହି ପ୍ରତିବନ୍ଧକ ଭାରତୀୟ ସମୟ ଅନୁସାରେ ୨୦୨୫ ଅଗଷ୍ଟ ୨୪ ସକାଳ ୫ଟା ୧୯ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୨ରେ ଜମ୍ମୁ କଶ୍ମୀରର ଅନନ୍ତଜାନଗ ଜିଲ୍ଲା ପହଲଗାମ୍ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପରେସନ୍ ସିନ୍ଦୂର ସମୟରେ ଉଭୟ ଦେଶ ପରସ୍ପରର ବିମାନ ପାଇଁ ସେମାନଙ୍କର ବାୟୂସୀମା ବନ୍ଦ କରିଦେଇଥିଲେ।
ଭାରତ ସରକାର ଏପ୍ରିଲ ୩୦ରେ ପାକିସ୍ତାନୀ ବିମାନ ପାଇଁ ତାର ବାୟୂସୀମା ବନ୍ଦ କରିବାକୁ ଘୋଷଣା କରିଥିଲେ, ଯାହା ପରେ ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ଭାରତ ପାକ୍ ଏୟାରଲାଇନ୍ସ ବିମାନ ଉପରେ ଜୁଲାଇ ୨୪ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲଗାଇଥିଲା, ଯାହା ଏପର୍ଯ୍ୟନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଟିଆରଏଫ୍ ପ୍ରତିବନ୍ଧକ ଉପରେ ନୀରବ ରହିଲା ଚୀନ୍