ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଜମଗଡ଼ରୁ ଗିରଫ ଆଇଏସ୍ଆଇଏସ୍ର ସଂଦିଗ୍ଧ ସବାଉଦ୍ଦୀନ ଆଜମୀକୁ ପଚରାଉଚରା ସମୟରେ ବହୁତ କିଛି ଖୁଲାସା ହୋଇଛି । ଆଜମୀ ଆଜମଗଡ଼ର ଆମିଲୋ ଅଞ୍ଚଳରେ ସଭାସଦର ନିର୍ବାଚନ ଲଢ଼ିସାରିଛି । ସୁରକ୍ଷା ଏଜେନ୍ସି ଅନୁସାରେ ସେ ଅସଦୁଦ୍ଦୀନ ଓୱେସୀଙ୍କ ପାର୍ଟି ଏଆଇଏମ୍ଆଇଏମ୍ର ସକ୍ରିୟ ସଦସ୍ୟ ଥିଲା ଏବଂ ଲଗାତାର ରାଲିରେ ସାମିଲ ହେଉଥିଲା ।
ପଚରାଉଚରା ବେଳେ ଜଣାପଡ଼ିଛି ଯେ, ସବାଉଦ୍ଦୀନ ଆରଏସଏସ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଆରଏସଏସ୍ ନାଁରେ ଏକ ହ୍ୱାଟ୍ସଆପଗ୍ରୁପ କରିଥିଲା, ଯେଉଁଥିରେ କି ଆରଏସଏସ ନେତାଙ୍କୁ ଯୋଡୁଥିଲା । ତାର ଅସଲ ଉଦ୍ଦେଶ୍ୟ ଥିଲା ଆରଏସଏସ ନେତାଙ୍କ ସଂପର୍କରେ ତଥ୍ୟ ଯୋଗାଡ଼ କରିବା ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପୁଲିସ ସବାଉଦ୍ଦୀନର ଇଲେକ୍ଟ୍ରୋନିକ୍ସ ଡିଭାଇସଗୁଡ଼ିକ ଜବତ କରିଛି । ଏବେ ଏହାକୁ ଫରେନ୍ସିକ ତଦନ୍ତ କରାଯିବ । ଏବେ ଫରେନ୍ସିକ ଯାଞ୍ଚ ହେଲା ପରେ ଖୁଲାସ ହେବ ଯେ, ସେ କାହା ବିଷୟରେ ତଥ୍ୟ ଯୋଗାଡ କରୁଥିଲା । ଏତଦ ବ୍ୟତୀତ ସେ ନୂପୁର ଶର୍ମାଙ୍କୁ ଟାର୍ଗେଟ କରୁଥିଲା ବୋଲି ମଧ୍ୟ କୁହାଯାଉଛି । ତେବେ ଘଟଣାର ସମସ୍ତ ତଦନ୍ତ ସରିଲା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।