ଶ୍ରୀନଗର, ଅଗଷ୍ଟ ୧୧ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ରାଜୌରୀର ପରଗଲରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛି । ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ରାଜୌରୀର ପରଗଲ ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ସେନାର ଯବାନ ଓ ଜମ୍ମୁ କଶ୍ମୀର ପୁଲିସର ଯବାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେତେବ ସୁରକ୍ଷା ବାହିନୀର ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇପଡ଼ିଥିଲେ । ସେମାନେ ପ୍ରଥମେ ଗୁଳି କରିଥିଲେ । କିନ୍ତୁ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରୁ ବନ୍ଧୁକ, ଗୁଳି ଓ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି । ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଆଗକୁ ୭୫ତମ ସ୍ୱାଧୀନତା ଦିବସ ଥିବାରୁ ଘାଟିରେ ସେନା ଅଧିକ ସତର୍କ ରହିଛି ।