କଲମ୍ବୋ, ମେ ୨୨ (ଖବର ଓଡ଼ିଶା): ଶ୍ରୀଲଙ୍କା ସରକାର ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି କଟକଣାକୁ କୋହଳ କରିଦେଇଛନ୍ତି । ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ସଂକଟ ମଧ୍ୟରେ ସରକାର ବିରୋଧୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ପୂର୍ବରୁ ଜରୁରୀକାଳୀନ ଲଗାଯାଇଥିଲା । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ନିକଟରେ ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସମେତ ଅନେକ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଏଠାରେ ନୂଆ ସରକାର ଗଢ଼ାଯାଇଛି ।
ସରକାର ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗୋଟିଏ ମାସରେ ୨ ଥର ଜରୁରୀକାଳୀନ ଘୋଷଣା କରିଥିଲେ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗତ ୬ ତାରିଖ ମଧ୍ୟରାତ୍ରିରେ ଜରୁରୀକାଳନୀ ଘୋଷଣା କରିଥିଲେ । ଏହା ପୂର୍ବରୁ ସେ ଏପ୍ରିଲ ପ୍ରଥମ ସପ୍ତାହରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ତେବେ ଶୁକ୍ରବାର ମଧ୍ୟରାତ୍ରିଠାରୁ ଜରୁରୀକାଳନୀ ଉପରେ ଲାଗିଥିବା କଟକଣା କୋହଳ କରିଦିଆଯାଇଛି । ଦେଶରେ ନୂଆ ପ୍ରଧାନମନ୍ତ୍ରୀ ଯୋଗଦେବା ପରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିପାରେ ବୋଲି ଚର୍ଚ୍ଚା ହେଉଛି ।