ଭୁବନେଶ୍ୱର: ଶନିବାରଟା ଯେମିତି ଝିଅଙ୍କ ପାଇଁ ଶନିଦଶା ଆଣୁଛି । ସେଇ ଶନିବାର ଏବଂ ସେଇ ନିଆଁ । କ୍ରମାଗତ ଦୁଇଟି ଶନିବାରରେ ରାଜ୍ୟର ଦୁଇଟି ସ୍ଥାନରେ ଜଳିଛନ୍ତି ଝିଅ । ଗୋଟିଏ ପଟେ ଜଣେ ନ୍ୟାୟ ପାଇଁ ନିଜେ ଜଳିଥିବାବେଳେ ଆଉ ଜଣଙ୍କୁ ଅମାନୁଷିକଭାବେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଛି ।
ବାଲେଶ୍ୱର ଏଫ୍.ଏମ୍. କଲେଜ ଘଟଣା...
ଜୁଲାଇ ୧୨, ଶନିବାର, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଆତ୍ମାହୁତି ଘଟଣା । କଲେଜର ଇଣ୍ଟିଗ୍ରେଟେଡ୍ ବି.ଏଡ୍. ଛାତ୍ରୀ ନ୍ୟାୟ ନ ପାଇ ଶେଷରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇଥିଲେ । ଦୀର୍ଘ ତିନି ଦିନର ସଂଘର୍ଷ ପରେ ଶେଷରେ ଜୁଲାଇ ୧୪, ସୋମବାର ରାତିରେ ପ୍ରାଣ ହରାଇଥିଲେ ପୀଡ଼ିତା ।
ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏଜୁକେସନ୍ ବିଭାଗ ମୁଖ୍ୟ ସମୀର କୁମାର ସାହୁ ଏବଂ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । ଉକ୍ତ ଛାତ୍ରୀ ଜଣକ ଏଚ୍ଓଡିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏଚ୍ଓଡି ତାଙ୍କଠାରୁ ଯୌନ ଲାଳସା ରଖିଥିବା ସେ ଅଭିଯୋଗ କରିଥିଲେ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଘଟଣାଦିନ କେଉଁମାନେ ସେଠାରେ ଉପସ୍ଥିତ ଥିଲେ, ପେଟ୍ରୋଲ ସିଏ କେଉଁଠୁ ଆଣିଥିଲେ ଏବଂ ଅଧ୍ୟକ୍ଷଙ୍କ ସହିତ କଣ ଆଲୋଚନା ହୋଇଥିଲା ସବୁର ଖୋଳତାଡ଼ ଜାରି ରଖିଛି ।
ବଳଙ୍ଗା ନାବାଳିକା ଘଟଣା...
ଆଉ ଆଜି ପୁଣି ସେଇ ଶନିବାର, ତାରିଖ ଜୁଲାଇ ୧୯ । ସକାଳୁ ସକାଳୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଏକ ଖବର ଛାତି ଥରାଇ ଦେଇଛି । ନୂଆ ଗୋପାଳପୁର ଗ୍ରାମର ନାବାଳିକା ବହି ଦେଇ ଘରକୁ ଫେରୁଥିବାବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ମୁହଁକୁ କପଡ଼ାରେ ମାଡ଼ି ବସିଥିଲେ । ଏହା ପରେ ନଦୀ ବନ୍ଧରେ ନିର୍ଜନ ସ୍ଥାନରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ପ୍ରାଣ ବିକଳରେ ଚିତ୍କାର କରି ନିକଟସ୍ଥ ଦୁଃଖିଶ୍ୟାମ ସେନାପତିଙ୍କ ଘର ଦୁଆରେ ପଡ଼ିଯାଇଥିଲା । ଦୁଃଖିଶ୍ୟାମ ଏବଂ ସ୍ଥାନୀୟ ଲୋକ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପିପିଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ସୂଚନା ମୁତାବକ ତାଙ୍କ ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାବେଳେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଏମ୍ସର ୧୪ ଜଣିଆ ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ସେପଟେ ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ସନ୍ଧାନ ପାଇ ପାରି ନାହିଁ । ପୁରୀ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛି । ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।