ବେରୁତ: ଗାଜା ଯୁଦ୍ଧ ପରେ ଏବେ ଲେବାନନ ଯୁଦ୍ଧର ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଛି। ଇସ୍ରାଏଲ ସେନା ମୁଖ୍ୟ ଜେନେରାଲ ହର୍ଜି ହାଲେଭି କହିଛନ୍ତି ଯେ ହିଜବୁଲ୍ଲା ଘାଟିକୁ ଧ୍ୱଂସ କରିବା ପାଇଁ ଏୟାର ଷ୍ଟ୍ରାଇକ୍ ଜାରି ରହିବ, ଆବଶ୍ୟକ ପଡ଼ିଲେ ଆମେ ମଧ୍ୟ ସୀମା ପାର ହୋଇ ସ୍ଥଳସ୍ତରୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କହିଛନ୍ତି ଯେ ଲେବାନନରେ ଯୁଦ୍ଧ ଆରମ୍ଭ ହୋଇପାରେ। ଯୁଦ୍ଧର ଗରମ ମଧ୍ୟରେ ତୁର୍କୀ ଏ ଯୁଦ୍ଧରେ ଲେବାନନ ସହ ଠିଆ ହେବାକୁ ଘୋଷଣା କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତ ଲେବାନନରେ ଉପସ୍ଥିତ ଥିବା ନିଜ ନାଗରିକମାନଙ୍କୁ ତୁରନ୍ତ ଚାଲିଯିବାକୁ କହିଛି। ଅନ୍ୟପକ୍ଷରେ ବୁଧବାର ଦିନ ଇସ୍ରାଏଲର ସଦ୍ୟତମ ଏୟାର ଷ୍ଟ୍ରାଇକ୍ରେ ଲେବାନନରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୩ ଜଣ ଆହତ ହୋଇଛନ୍ତି।
ବୁଧବାର ହିଜବୁଲ୍ଲାର କ୍ଷେପଣାସ୍ତ୍ର ପ୍ରାୟ ୬୦୦ କିଲୋମିଟର ଦୂର ଇସ୍ରାଏଲର ତେଲ ଆଭିବରେ ପହଞ୍ଚିଥିଲା। ହିଜବୁଲ୍ଲା ସେଠାରେ ଥିବା ମୋସାଦ ଗୁଇନ୍ଦା ଏଜେନ୍ସିକୁ ଟାର୍ଗେଟ କରିଥିବା ଦାବି କରିଥିଲେ ମଧ୍ୟ ଇସ୍ରାଏଲ ଏଜେନ୍ସି ବିଲ୍ଡିଂ ଉପରେ ଆକ୍ରମଣ କରିବାକୁ ଅସ୍ୱୀକାର କରିଛି। ବୁଧବାର ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଓ ହାଇଫା ଉପରେ ୩୦୦ ରକେଟ୍, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା।
ଇସ୍ରାଏଲ୍ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ଆକ୍ରମଣକୁ ପ୍ରତିହତ କରିଛି ଏବଂ କୌଣସି କ୍ଷୟକ୍ଷତି ହୋଇନାହିଁ। ସୋମବାର ଇସ୍ରାଏଲ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଥିବା ବେଳେ ୧୮୩୫ ଜଣ ଆହତ ହୋଇଛନ୍ତି। ଗତ ସପ୍ତାହରେ ପେଜର ଏବଂ ରେଡିଓ ସେଟ୍ରେ ବିସ୍ଫୋରଣ ଯୋଗୁଁ ଲେବାନନ୍ରେ ପ୍ରାୟ ୩,୫୦୦ ଲୋକ ଆହତ ହୋଇଥିଲେ। ଏହି ସମୟରେ ଲେବାନନର ଡାକ୍ତରଖାନାଗୁଡିକ ଆହତମାନଙ୍କ ଦ୍ୱାରା ଭର୍ତ୍ତି ହୋଇଛି, ତେଣୁ ଲେବାନନ ପାଇଁ ଆଗକୁ ଲଢ଼ିବା ଅଧିକ କଷ୍ଟକର ହେବ।
ସେପଟେ ଇସ୍ରାଏଲ ସୀମା ନିକଟବର୍ତ୍ତୀ ଅଂଚଳରୁ ଲେବାନନ ନାଗରିକଙ୍କ ସ୍ଥାନାନ୍ତର ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେପଟେ ଇରାକର ସଶସ୍ତ୍ର ସଂଗଠନ ଇସଲାମିକ ରେଜିଷ୍ଟାନ୍ସ ଗୋଲାନ ହାଇଟ୍ସରେ ଥିବା ଇସ୍ରାଏଲର ପୋଷ୍ଟ ଉପରେ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛି।
ଅଧିକ ପଢ଼ନ୍ତୁ: ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ପୁଣି ଆହ୍ୱାନ