ମେକ୍ସିକୋ, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): ଆମେରିକାରେ ମେକ୍ସିକୋରେ ସୋମବାର ବିଳମ୍ବିତ ରାତିରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରେକର୍ଡ କରାଯାଇଛି । ଭୂମିକମ୍ପର ଝଟକା ଏତେ ବଡ଼ ଥିଲା ଯେ, ଘରଗୁଡ଼ିକରୁ ଲୋକେ ଭୟଭୀତ ହୋଇ ବାହାରକୁ ପଳାୟନ କରିଥିଲେ । ଏପରିକି ବଡ଼ ବଡ଼ କୋଠା ମଧ୍ୟ ହଳିଯାଇଥିଲା । କୁହାଯାଉଛି ଯେ, ଭୂମିକମ୍ପ ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୧ଟା ୫ରେ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ମଚୋଆକେନ ରାଜ୍ୟରେ ଲା ପ୍ଲାସିଟା ଡି ମୋରେଲୋସ ସହର କୁହାଯାଉଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂମିକମ୍ପର ଝଟକା ରାଜଧାନୀ ମେକ୍ସିକୋ ସିଟି ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଜୋରଦାର ଭୂମିକମ୍ପ ଆସିବା ପରେ ସୁନାମୀର ଆଲର୍ଟ ମଧ୍ୟ କରାଯାଇଛି । ଭୂମିକମ୍ପ କାରଣରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଲୋକେ ଘର ଭିତରୁ ପଳାୟନ କରି ସୁରକ୍ଷିତ ସ୍ଥାନ ଖୋଜିଛନ୍ତି । ମାତ୍ର ଭୂମିକମ୍ପ ଯୋଗୁଁ କୌଣସି ଧନ ଜୀବନ ପ୍ରଭାବିତ ହୋଇ ଥିବା ସୂଚନା ନାହିଁ ।