କିଭ୍, ମେ ୦୯ (ଖବର ଓଡ଼ିଶା): ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ମେ’ ୯ତାରିଖ ବିଜୟ ଦିବସ ପୂର୍ବରୁ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଆହୁରି ତୀବ୍ର କରିଦେଇଛି । ରୁଷିଆ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପତ୍ନୀ ଜିଲ ବାଇଡେନ୍ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରବିବାର ଅଚାନକ ୟୁକ୍ରେନ୍ ପହଞ୍ଚିଛନ୍ତି । ଆମେରିକୀୟ ପ୍ରଥମ ମହିଳା ଜିଲ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍ସ୍କିଙ୍କୁ ଭେଟିଛନ୍ତି ।
ହ୍ୱାଇଟ୍ ହାଉସ୍ ଜିଲଙ୍କ ବାଇଡେନ୍ଙ୍କ ଏହି ଗସ୍ତ ଅଚାନକ ହୋଇଥିବା କହିଛି । ହ୍ୱାଇଟ୍ ହାଉସ ଅନୁସାରେ ଜିଲ ବାଇଡେନ୍ଙ୍କ ୟୁକ୍ରେନ୍ ଯିବାର କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ନଥିଲା । ଜିଲ ବାଇଡେନ୍ ପଶ୍ଚିମ ୟୁକ୍ରେନ୍ର ସ୍ଲୋଭାକିଆ ସୀମାରେ ନିକଟରେ ଥିବା ଏକ ଗାଁ ଉଜହୋରୋଡରେ ପହଞ୍ଚି, ସେଠାକାର ଏକ ସ୍କୁଲରେ ଓଲେନା ଜେଲେନ୍ସ୍କିଙ୍କ ସହିତ କଥା ହୋଇଥିଲେ । ଆମେରିକା ଓ ୟୁକ୍ରେନ୍ର ପ୍ରଥମ ମହିଳାଙ୍କ ମଧ୍ୟରେ ମଦର୍ସ ଡେ’ ଦିନ ହୋଇଥିବା ଏହି ସାକ୍ଷତ ହୋଇଥିଲା । ଜିଲ ବାଇଡେନ କହିଥିଲେ ଯେ, ମୁଁ ମଦର୍ସ ଡେ’ ଅବସରରେ ଏଠାକୁ ଆସିବାକୁ ଚାହୁଁଥିଲି ।
ଯେଉଁ ସ୍କୁଲରେ ଜିଲ ବାଇଡେନ ଓ ଓଲେନା ଜେଲେନ୍ସ୍କିଙ୍କ ମଧ୍ୟରେ ଭେଟ ହୋଇଥିଲା, ସେଠାରେ ୟୁକ୍ରେନ୍ର ଲୋକେ ଶରଣ ନେଇଛନ୍ତି । କୁହାଯାଉଛି ଯେ, ଆମେରିକା ରାଷ୍ଟ୍ରପତି ନିଜେ ୟୁକ୍ରେନ୍ ଯିବାକୁ ଚାହୁଁଥିଲେ । କିନ୍ତୁ ସୁରକ୍ଷା ଅଧିକାରୀମାନେ ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ । ପୋଲାଣ୍ଡ ଗସ୍ତ ସମୟରେ ଜୋ ବାଇଡେନ୍ ମଧ୍ୟ ଏହା କହିଥିଲେ ।