ଇସଲାମାବାଦ, ମେ ୨୨ (ଖବର ଓଡ଼ିଶା): ଭାରତରେ ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି । ଏହି ଖବର ଖୁବ୍ କମ ସମୟ ମଧ୍ୟରେ ପାକିସ୍ତାନରେ ପହଞ୍ଚିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଭାରତର ସ୍ୱତନ୍ତ୍ର ବିଦେଶୀ ନୀତି ରହିଛି । ଏହି ଦେଶ ଆମେରିକାର ଚାପରେ ନାହିଁ ଓ ରୁଷିଆ ଠାରୁ ତେଲ କିଣି ନିଜ ଦେଶର ନାଗରିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।
ଭାରତରେ ପେଟ୍ରୋଲ-ଡିଜେଲ ଦର ହ୍ରାସ ପାରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଏଥି ସହିତ ଇମ୍ରାନ୍ କେନ୍ଦ୍ର ମୋଦୀ ସରକାରଙ୍କୁ ପ୍ରଶଂସାରେ ପୋତିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି ମୋଦୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଇମ୍ରାନ ଲେଖିଛନ୍ତି ଯେ, କ୍ୱାର୍ଡର ଅଂଶବିଶେଷ ହେବା ପରେ ବି ଆମେରିକାର ଚାପରେ ନାହିଁ ଭାରତ ।
ଇମ୍ରାନ ଆଗକୁ ଲେଖିଛନ୍ତି ଯେ, ଭାରତ ନିଜର ଉଦ୍ୟମରେ ରୁଷିଆ ଠାରୁ ତେଲ କିଣିଛି ଏବଂ ନିଜର ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ନିଜ ସରକାରକୁ ମନେ ପକାଇ ଇମ୍ରାନ କହିଛନ୍ତି ଯେ, ଆମ ସରକାର ମଧ୍ୟ ଏଭଳି ଉଦ୍ୟମ କରୁଥିଲା । ପାକିସ୍ତାନର ଜନତାଙ୍କ ପାଇଁ ଆମ ସରକାର କାମ କରୁଥିଲା । କିନ୍ତୁ ଦୁର୍ଭାଗ୍ୟ ଯେ, ସ୍ଥାନୀୟ ମୀର ଜାଫର୍ସ ଓ ମୀର ସାଦିକ କ୍ଷମତା ପରିବର୍ତ୍ତନ ପାଇଁ ବାହାର ଚାପ ଆଗରେ ମୁଣ୍ଡ ନୁଆଇଁଦେଲେ ।