ଇସଲାମାବାଦ୍, ମେ ୧୦ (ଖବର ଓଡ଼ିଶା): ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନକୁ ନେଇ ବଡ଼ ଦାବି କରିଛନ୍ତି । ଶହବାଜ୍ ଶରୀଫ କହିଛନ୍ତି ଯେ, ଇମ୍ରାନ୍ ଖାନ ଦେଶରେ ଗୃହଯୁଦ୍ଧ ପାଇଁ ଯୋଜନା କରୁଛନ୍ତି । ଦେଶର ରାଷ୍ଟ୍ରୀୟ ପ୍ରତିଷ୍ଠାନ ବିରୋଧରେ ମନଗଢ଼ା କାହାଣୀ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଇମ୍ରାନ୍ ଖାନ ନିକଟରେ ଏକ ସଭାରେ ସରକାରୀ ପ୍ରତିଷ୍ଠାନକୁ ମୀର ଜାଫର ଓ ମୀର ସାଦିକଙ୍କ ସହିତ ତୁଳନା କରିଥିଲେ ।
ଇମ୍ରାନ୍ ଖାନଙ୍କ ନେତୃତ୍ୱରେ ଗଢ଼ିଥିବା ସରକାର ଗାଦିଚ୍ୟୁତ ହୋଇଛି । ତାଙ୍କ ବିରୋଧରେ ଗତମାସ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ଥିଲା । ଫଳରେ ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ ପଦ ହାତରୁ ଚାଲିଯାଇଥିଲା । ଏହା ପର ଠାରୁ ପାକିସ୍ତାନରେ ଶହବାଜ ଶରୀଫଙ୍କ ସରକାର ଚାଲିଛି । ପାକିସ୍ତାନରେ ନୂଆ ସରକାର ଆସିବା ପରଠାରୁ ୬୯ ବର୍ଷୀୟ ଇମ୍ରାନ୍ ଖାନ ବିଭିନ୍ନ ସମୟରେ ବୟାନ ଦେଉଛନ୍ତି । ଅଭିଯୋଗ ହୋଇଥାଏ ଯେ, ସରକାରକୁ ବଞ୍ଚାଇବା ପାଇଁ ଇମ୍ରାନଙ୍କ ସମର୍ଥକମାନେ ସାମାଜିକ ଗଣମାଧ୍ୟମକୁ ଟାର୍ଗେଟ କରିଥିଲେ ।
ପ୍ରଧାନମନ୍ତ୍ରୀ ଶହବାଜଭ୍କ କାର୍ଯ୍ୟାଳୟ ଏକ ବୟାନ ଜାରି କରିଛି । ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଏବଟାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କ ସମ୍ବୋଧନକୁ ପାକିସ୍ତାନ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର । ଶହବାଜ ନ୍ୟାସନାଲ ଆସେମ୍ବଲିକୁ ସମ୍ବୋଧିକ କରି କହିଛନ୍ତି ଯେ, ଇମ୍ରାନ୍ ଖାନ କାଲି ଯାହା କହିଛନ୍ତି, ତାହା ଭୟାନକ ଥିଲା । ସେ ଦେଶର ଜନତାଙ୍କ ମୁଣ୍ଡରେ ବିଷ ଢାଳୁଛନ୍ତି । ଦେଶକୁ ଆହୁରି ବିଭାଜନ କରିବା ପାଇଁ ଚିନ୍ତା କରୁଛନ୍ତି । ଏହା ଆଇନ ଅନୁସାରେ ବନ୍ଦ କରାଯିବା ଦରକାର ।