ପେଇଚିଙ୍ଗ, ଜାନୁଆରୀ ୨୨(ଖବର ଓଡ଼ିଶା):
ନିଜ ସେନା ଦମରେ କେବେ ସୀମାରେ ଲାଗି ରହିଥିବା ଦେଶ ଉପରେ ତ କେତେବେଳେ ପାଶ୍ଚାତ୍ୟ ଦେଶକୁ ନାଲି ଆଖି ଦେଖାଉଥିବା ଚୀନ ନିଜର ସ୍ଥଳ ସେନା ସୈନିକର ସଂଖ୍ୟାକୁ ଅସ୍ଵାଭାବିକ ଭାବେ ୫୦ ପ୍ରତିଶତ କମ କରି ଦେଇଛି। ଏମିତି କଣ କାରଣ ରହିଛି, ଯେଉଁଥିପାଇଁ ଚୀନ ନିଜର ଆର୍ମି ସଂଖ୍ୟାରେ ଅହେତୁକ ହ୍ରାସ କରିଛି। କୁହାଯାଉଛି ଯେ ସ୍ଥଳ ସେନା ଆର୍ମିକୁ ହ୍ରାସ କରି ନୌସେନା ଓ ବାୟୁସେନାକୁ ଅଧିକ ମଜବୁତ କରିବାକୁ ଚାହୁଁଛି ଚୀନ। ଏହା ମଧ୍ୟ କୁହାଯାଉଛି ଯେ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)କୁ ଅତ୍ୟାଧୁନିକ କରିବା ପାଇଁ ଚୀନ ଏହି ଅଦ୍ଭୁତପୂର୍ବ ରଣନୀତି ଆପଣେଇଛି। ଫଳରେ ଡ୍ରାଗନ ସ୍ଥଳ ସେନାକୁ ଅହେତୁକ ଭାବେ ହ୍ରାସ କରିଛି।
ସମାଚାର ଏଜେନ୍ସି ସିନହୁଆ ମୁତାବକ ୨୦ ଲକ୍ଷ ସଂଖ୍ୟା ବିଶିଷ୍ଟ ଚୀନ ମିଲିଟାରୀ ଏହାର ନୌସେନା, ବାୟୁସେନା ଓ ନୂତନ ରଣନୀତି ୟୁନିଟକୁ ମଜବୁତ କରିବା ପାଇଁ ସ୍ଥଳ ସେନା ସଂଖ୍ୟାକୁ ହ୍ରାସ କରିଛି। ତେଣୁ ଚୀନ ଏବେ ସ୍ଥଳସେନାରେ ୫୦ ପ୍ରତିଶତ ହ୍ରାସ କରିଛି। ଏହା ସହିତ ପିଏଲଏ ଅଧିକାରୀଙ୍କ ସଂଖ୍ୟା ୩୦ ପ୍ରତିଶତ କମ କରାଯାଇଛି।
ଗତ ବର୍ଷ ପିଏଲଏ ନିଜର ସୈନିକ ସଂଖ୍ୟା କମ କରିଛି, ଯାହା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରଣନୀତିର ଏକ ଅଂଶ। ଏହା ସତ୍ଵେ ବି ୨୦ ଲକ୍ଷ ସୈନିକ ସହିତ ଚୀନ ଦୁନିଆର ସବୁଠୁ ବଡ଼ ଫୋର୍ସ ରହିଛି। ରିପୋର୍ଟ ମୁତାବକ ପିଏଲଏର ଅନ୍ୟ ଶାଖା ନେଭି, ଏୟାର ଫୋର୍ସ, ରକେଟ୍ ଫୋର୍ସ ଓ ଷ୍ଟ୍ରାଟେଜିକ ସପୋର୍ଟ ଫୋର୍ସ ସଂଖ୍ୟା ଚୀନ ମିଲିଟାରୀର ମୋଟ୍ ସଂଖ୍ୟାରୁ ଅଧା ହେବ। ତେଣୁ ଚୀନ ଏବେ ସ୍ଥଳ ସେନା ଅପେକ୍ଷା ନୌସେନା ଓ ବାୟୁସେନାର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିଭୂତ କରିଛି। ବିଗତ କିଛି ବର୍ଷରେ ଚୀନ ନୌସେନାର ବ୍ୟାପକ ବିସ୍ତାର ହୋଇଛି। କାରଣ ଚୀନ ଏକ ଏୟାରକ୍ରାଫ୍ଟ କରିୟର ନିର୍ମାଣ କରି ସାରିଛି। ଏହି ପରି ଆଗାମୀ ସମୟରେ ଚୀନ ୫ ରୁ ୬ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ ଯାଉଛି।
ଶାଙ୍ଘାଇ ମିଲିଟାରୀ ବିଶେଷଜ୍ଞ ନି ଲେକ୍ୟାଙ୍ଗ କହିଛନ୍ତି ଯେ ଚୀନ ଚିନ୍ତା କରୁଛି ଯେ ଶତ୍ରୁ ସହିତ ଲଢିବା ପାଇଁ ନୌସେନା, ବାୟୁସେନା ଓ ମିସାଇଲ ୟୁନିଟ୍ ସବୁଠୁ ବଡ଼ ଭୂମିକା ନିଭାଇପାରେ। ଏଥିରେ ସ୍ଥଳ ସେନାର ମହତ୍ଵ ନିଶ୍ଚିତ ରୂପେ କମ ହେବ।