ଇସଲାମାବାଦ୍, ମେ ୧୭ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ୨ଟି ମୋବାଇଲ ଚୋରି ହୋଇଯାଇଛି । ପାକିସ୍ତାନ ତହରୀକ-ଏ-ଇନ୍ସାଫର ନେତା ଶହବାଜ୍ ଗିଲ ସୋମବାର ଦାବି କରିଛନ୍ତି ଯେ, ପିଟିଆଇ ଚେୟାରମ୍ୟାନ୍ ଇମ୍ରାନ୍ ଖାନଙ୍କ ୨ଟି ଫୋନ୍ ସିଆଲକୋଟ ବିମାନବନ୍ଦରରୁ ଚୋରି ହୋଇଛି । ସେଠାରେ ଦଳ ଶନିବାର ଏକ ରାଲି କରିଥିଲା । ଯଦି ପ୍ରକୃତରେ ଇମ୍ରାନ୍ଙ୍କ ମୋବାଇଲ ଚୋରି ହୋଇଯାଇଛି, ଶତ୍ରୁମାନେ ଏଥିରେ ଥିବା ରେକର୍ଡିଂ ଓ ଭିଡିଓ ଖୋଜୁଥାଇ ପାରନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶହବାଜ୍ ଗିଲ୍, ଇମ୍ରାନ୍ ଖାନଙ୍କ ଜଳସେର ୨ ଦିନ ପରେ ଏହି ଦାବି କରିଛନ୍ତି । ଗିଲ୍ କହିଛନ୍ତି ଯେ, ଇମ୍ରାନ୍ ଖାନଙ୍କୁ ରାଲି ସମୟରେ ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା । ସେ କହିଛନ୍ତି ଯେ, ଖାନ୍ଙ୍କ ମୋବାଇଲ୍ ଚୋରି ହୋଇଯାଇଛି । ସିଆଲକୋଟ ଜଲସେରେ ଇମ୍ରାନ୍ ଖାନ ନିଜର ଭାଷଣରେ କହିଥିଲେ ଯେ, ତାଙ୍କର ଜୀବନ ପ୍ରତି ବିପଦ ରହିଛି । ସେ ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ କି ସେ ସମସ୍ତ ଷଡ଼ଯନ୍ତ୍ରକାରୀଙ୍କ ନାଁ ନେଇଛନ୍ତି ।
ସୂଚନାଯୋଗ୍ୟ, ଇମ୍ରାନ ଖାନ ନିଜର ହତ୍ୟା ଆଶଙ୍କା କରିଛନ୍ତି । ଏଥି ପାଇଁ ସେ ନିଜର ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଫୈସଲାବାଦଠାରେ ମଧ୍ୟ ଏକ ରାଲି କରିଛନ୍ତି । ଏହି ରାଲିରେ ସେ କହିଛନ୍ତି ଯେ, ଯଦି ତାଙ୍କୁ ହତ୍ୟା କରାଯାଏ, ତା’ହେଲେ ତାଙ୍କୁ ନ୍ୟାୟ ଦିଆଯାଉ । ଏଥି ସହିତ ସେ ନୂଆ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଦେଶର ଅର୍ଥବ୍ୟବସ୍ଥା ରୋଗଗ୍ରସ୍ତ ହୋଇଛି । କ’ଣ ବର୍ତ୍ତମାନର ପିଏମ୍ଏଲ୍-ଏନ୍ ସରକାରଙ୍କ ନେତୃତ୍ୱରେ ମେଣ୍ଟ ସରକାର ଏହାକୁ ସ୍ୱାଭାବିକ କରିପାରିବ ।
କ୍ଷମତା ହରାଇବା ପୂର୍ବରୁ ମଧ୍ୟ ଇମ୍ରାନ୍ କହିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ଅଛି । କ୍ରିକେଟରରୁ ନେତା ହୋଇଥିବା ଇମ୍ରାନ୍ ଖାନ ଗତ ମାସରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତା ହରାଇଥିଲେ । ସେ ଅଭିଯୋଗ ଆଣିଥିଲେ ଯେ, ଆମେରିକା ସ୍ଥାନୀୟ ଲୋକଙ୍କ ସହାୟତାରେ ଖେଳୁଛି । ଏହି ଖେଳର ମାଷ୍ଟରମାଇଣ୍ଡ ହେଉଛି ଆମେରିକା ।