ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ୟୁରୋପରେ ଏହି ସଂକ୍ରମଣର ସ୍ଥିତ ଉଦ୍ବେଗଜନକ । ଏଠାରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟାରେ ମଙ୍କିପକ୍ସ ମାମଲା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୟୁରୋପରେ ପାଖାପାଖି ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜରୁରୀକାଳୀନ ବୈଠକ ଡାକିଛି । ବୈଠକରେ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ଆଲୋଚନା ଏସଂପର୍କରେ ମଧ୍ୟ ହୋଇଛି ଯେ, ମଙ୍କିପକ୍ସକୁ ମହାମାରୀ ଘୋଷଣା କରାଯିବା ଦରକାର ।
ଏପର୍ଯ୍ୟନ୍ତ ୟୁରୋପ ମହାଦେଶର ୯ଟି ଦେଶରେ ମକ୍ସପକ୍ସ ଚିହ୍ନଟ ହୋଇଛି । ଏଥିରେ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ପେନ, ସ୍ୱୀଡେନ ଓ ବ୍ରିଟେନ୍ । ଏହା ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ମଧ୍ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଏହାରି ମଧ୍ୟରେ ବିଶେଷଜ୍ଞ କହୁଛନ୍ତି ଯେ, ଏହି ରୋଗ ମହାମାରୀର ରୂପ ନେଇପାରିବ ନାହିଁ । ଏହି ରୋଗ ଏତେ ଭୟଙ୍କର ରୂପ ନେଇ ନପାରେ ।
ସୂଚନାଯୋଗ୍ୟ, ମଙ୍କିପକ୍ସ ପ୍ରଥମେ ୟୁରୋପକୁ ଗତ ୭ ତାରିଖରେ ଆସିଥିଲା । ଜଣେ ନାଇଜେରିଆ ନାଗରିକଙ୍କ ମାଧ୍ୟମରେ ଏହି ରୋଗ ୟୁରୋପକୁ ଆସିଥିଲା । କାରଣ ମଙ୍କିପକ୍ସ ଅଧିକାଂଶ କ୍ଷେତ୍ରରେ ଆଫ୍ରିକୀୟ ଦେଶରେ ମିଳିଥାଏ । ସେଠାରେ ଏହି ରୋଗ ୨୦୧୭ରୁ ଅଛି । ଏବେ ଚିନ୍ତାର କାରଣ ହେଲା ଯେ, ୟୁରୋପରେ ପ୍ରଥମ ଥର ପାଇଁ ଦେଖାଯାଇଛି ।