ନ୍ୟୁୟର୍କ, ମେ ୧୯ (ଖବର ଓଡ଼ିଶା): ଆମେରିକୀୟ ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ବୁଧବାର ନ୍ୟୁୟର୍କରେ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଭେଟିଛନ୍ତି । ଉଭୟ ନେତା ଆମେରିକା ଓ ପାକିସ୍ତାନ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ସଂପର୍କ ସହିତ ଆଞ୍ଚଳିକ ସୁରକ୍ଷା ଉପରେ ଚର୍ଚ୍ଚା କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଶାସନ କାଳରେ ଆମେରିକା ଓ ପାକିସ୍ତାନର ଦ୍ୱିପାକ୍ଷୀକ ସଂପର୍କ ଯୋଗୁଁ ଆର୍ଥିକ କ୍ଷତି ଆସିବା ପରେ ଏହି ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ଉଭୟ ନେତା ଆଫଗାନିସ୍ତାନର ସ୍ଥିରତା, ୟୁକ୍ରେନ୍ ପାଇଁ ସମର୍ଥନ ଓ ଗଣତାନ୍ତ୍ରିକ ସିଦ୍ଧାନ୍ତ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି ।
ପାକିସ୍ତାନର ବିଦେଶ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ବିଲାୱଲ ସଂଯୁକ୍ତ ରାଷ୍ଟ୍ରରେ ବୁଧବାର ହୋଇଥିବା ଗ୍ଲୋବାଲ ଫୁଡ ସିକ୍ୟୁରିଟି କଲ ଟୁ ଆକ୍ସନ ଉପରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ବ୍ଲିଙ୍କନଙ୍କ ନିମନ୍ତ୍ରଣରେ ଆମେରିକାକୁ ପ୍ରଥମ ଗସ୍ତ କରିଛନ୍ତି । ଆମେରିକା ମେ’ ମାସ ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ଓ ବ୍ଲିଙ୍କନ ବୈଶ୍ୱିକ ଖାଦ୍ୟ ସୁରକ୍ଷା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକ ଆୟୋଜିତ କରିବାକୁ ନ୍ୟୁୟର୍କରେ ଅଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କୁ ଭେଟିଲା ପରେ ବ୍ଲିଙ୍କନ କହିଛନ୍ତି ଯେ, ପାକିସ୍ତାନର ନୂଆ ସରକାର ସହିତ କାମ କରିବାକୁ ନେଇ ଉତ୍ସାହିତ ଅଛି ।