ଭୁବନେଶ୍ୱର, ନଭେମ୍ବର ୩୦ (ଖବର ଓଡ଼ିଶା):
ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ନଭେମ୍ବର 29 ତାରିଖ 2020 ରେ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇଛି. ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ଏବଂ ଭୁବନେଶ୍ୱର ଆଇଏମଏସ ଓ ସମ ହସ୍ପିଟାଲ ଡାକ୍ତର ମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଛି. ପୂର୍ବରୁ ମାର୍ଚ୍ଚ 5 ତାରିଖରେ ଆଇଏମଏସ ସମ ହସ୍ପିଟାଲରେ ରାଜ୍ୟରେ ପ୍ରଥମ ଥର ପାଇଁ ସଫଳ ଭାବେ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା. ହାଇଦ୍ରାବାଦର ଏଆଇଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନଙ୍କ ନେତୃତ୍ୱରେ ଏକ 40 ଜଣିଆ ଦଳ ମିଶି ଦୀର୍ଘ 12 ଘଣ୍ଟାର ପରିଶ୍ରମ ପରେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ସମ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି. ଏହି ସାମ୍ବାଦିକ ସମିଳନୀରେ ପ୍ରଫେସର ମନୋଜ କୁମାର ସାହୁ, ଡାକ୍ତର ଶକ୍ତି ସ୍ୱରୂପ, ଡାକ୍ତର କ୍ରିଷ୍ଣା ଚୈତନ୍ୟ, ଡାକ୍ତର ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦାନ କରିଛନ୍ତି. ସୂଚନା ଅନୁସାରେ, ସମ୍ବଲପୁର ଅଂଚଳର ଉମେଶ କୁମାର ରାଉତଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନିତା କୁମାରୀ ତାଙ୍କ ଯକୃତର 60 ପ୍ରତିଶତ ପ୍ରଦାନ କରିଛନ୍ତି. ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଡାକ୍ତର ମାନେ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି. ଏହା ସହ ଆଗାମୀ ଦିନରେ ଯଦି ରାଜ୍ୟରେ ସୁଲଭ ମୂଲ୍ୟରେ ଏହି ସେବା ଯୋଗାଇ ଦେବାକୁ ହସ୍ପିଟାଲ କତୃପକ୍ଷ ଲକ୍ଷ୍ୟ ରଖିଛନ୍ତି.