ଭୁବନେଶ୍ୱର: ବହୁ ଦିନର ବାଦ ବିବାଦ ପରେ ଶେଷରେ ଥାନାର ଦ୍ୱାରସ୍ଥ ଗାୟିକା ପମି ମିଶ୍ର । କଣ୍ଠ ଶିଳ୍ପୀ ପମି ମିଶ୍ର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର ଗୀତ ଚୋରି ହୋଇଥିବା ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ କରିଛନ୍ତି । ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ଅଭିଯୋଗ ଆଣିଛନ୍ତି ପମି ।
ପମି ଅଭିଯୋଗ କରିଛନ୍ତି ଯେ କିଛି ଦିନ ହେବ ଅନ୍ୟ ଜଣେ ମହିଳା ତାଙ୍କର ଏକ ଗୀତ (ନଈକୁ ଯିବିନି ଗାଧେଇ...)କୁ ଚୋରି କରି ନିଜ ନାଁ ଦେଇ ୟୁଟ୍ୟୁବ୍ ଚ୍ୟାନେଲର ଛାଡ଼ିଛନ୍ତି । ଯାହାକୁ ଦେଖିବା ପରେ ପମି ମିଶ୍ର ସଂପୃକ୍ତ ସଂସ୍ଥାକୁ କଲ କରି ପଚାରିବାରୁ ସେ ତାଙ୍କୁ ସ୍ପଷ୍ଟଭାବେ ମନା କରିଦେଇଥିଲେ ଏବଂ କହିଥିଲେ ଯେ ତାଙ୍କ ସ୍ତ୍ରୀ ଏ ଗୀତ ଗାଇଛନ୍ତି । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ସେ ଗାଇଥିବା ଗୀତକୁ ପ୍ରତିଭା ଉପାଧ୍ୟାୟ ନାମକ ମହିଳା କେବଳ ଲିପ୍ସିଂ କରି ଗୀତକୁ ଗାଇଛନ୍ତି ବୋଲି ପମି ଅଭିଯୋଗ କରିଛନ୍ତି ।
ପମି ନିଜର ଅରିଜିନାଲ ଗୀତକୁ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହା ସହିତ ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଣ୍ଟର୍ଟେନମେଣ୍ଟ ପ୍ରସାରିତ କରିଥିବା ଗୀତକୁ ମଧ୍ୟ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ପମି ଆହୁରି କହିଛନ୍ତି ଯେ ଗୀତିକାରଙ୍କ ନାଁ ମଧ୍ୟ ସେଥିରେ ଫର୍ଜିରେ ଦିଆଯାଇଛି ।
ଏଠାରେ କହି ରଖୁଛୁ ଯେ ଗତ ସାତ ବର୍ଷ ତଳେ ପମି ମିଶ୍ର ମେଘ ମହ୍ଲାର ପ୍ରଡକ୍ସନରେ ‘ନଈକୁ ଯିବିନି ଗାଧେଇ...’ ଗୀତରେ କଣ୍ଠଦାନ କରିଥିଲେ । ଯାହାର ଗୀତ, ସଙ୍ଗୀତ ଏବଂ ପ୍ରଯୋଜନା ଦେଇଥିଲେ ପୂର୍ଣ୍ଣଚନ୍ଦ୍ର ବେହେରା । ଏହି ଗୀତର ନିର୍ଦ୍ଦେଶନା ଦେଇଥିଲେ ବାବୁଲି ସାମନ୍ତରାୟ ।