ମୁମ୍ବାଇ: ନିଜ ବନ୍ଧୁକରୁ ଗୁଳି ବାଜିବା ପରେ ଡାକ୍ତରଖାନାରେ ଚିକିସ୍ଚାଧୀନ ଥିବା ବଲିଉଡ ଅଭିନେତା ଗୋବିନ୍ଦା ଏବେ ସୁସ୍ଥ ଅଛନ୍ତି । ସେ ନିଜ ପ୍ରଶଂସକଙ୍କ ପାଇଁ ଏକ ଅଡ଼ିଓ ବାର୍ତ୍ତା ଜାରି କରିଛନ୍ତି । ଏଥିରେ ଗୋବିନ୍ଦା ଅଡ଼ିଓ ଜରିଆରେ ପ୍ରଶଂସକ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତା ।
ସେ କହିଛନ୍ତି, ‘‘ନମସ୍କାର, ପ୍ରଣାମ, ମୁଁ ଗୋବିନ୍ଦା। ଆପଣଙ୍କ ସମସ୍ତଙ୍କ ଆଶୀର୍ବାଦ ଓ ବାବାଙ୍କ ଆଶୀର୍ବାଦ। ଗୁଳି ବାଜିଥିଲା। କିନ୍ତୁ, ଗୁରୁଙ୍କ କୃପାରୁ ଗୁଳି ବାହାର କରି ଦିଆଯାଇଛି। ମୁଁ ଏଠାକାର ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ସଭିଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି’’।
ଅନ୍ୟ ପକ୍ଷରେ ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକଙ୍କ ସ୍ତ୍ରୀ କଶ୍ମୀରା ହସ୍ପିଟାଲରେ ପହଁଚିଛନ୍ତି । ସେ ଗୋବିନ୍ଦାଙ୍କୁ ଭେଟିଛନ୍ତି । ଘଟଣା ଘଟିବା ସମୟରେ ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ଘରେ ନ ଥିଲେ । ସେ କୌଣସି କାମରେ ମୁମ୍ବାଇରୁ ବାହାରକୁ ଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁନିତା ଫ୍ଲାଇଟ୍ ଯୋଗେ ମୁମ୍ବାଇ ଆସୁଥିବା ଜଣାପଡ଼ିଛି ।
ଗୋବିନ୍ଦା ମଙ୍ଗଳାବର ଭୋର ୪ଟା ସମୟରେ ଜୁହୁସ୍ଥିତ ତାଙ୍କ ଘରେ କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ସେ ନିଜ ସୁରକ୍ଷା ପାଇଁ ପାଖରେ ରଖିଥିବା ଏକ ଲାଇସେନ୍ସ ପ୍ରାପ୍ତ ରିଭଲବରକୁ ସଫା କରୁଥିଲେ । ବନ୍ଧୁକକୁ ସଫା କରିବାବେଳେ ଅସାବଧାନତା ବଶତଃ ଗୁଳି ଫୁଟି ଥିଲା । ଫଳରେ ତାଙ୍କ ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳିଟି ବାଜିଥିଲା । ଗୋବିନ୍ଦାଙ୍କ ସୁରକ୍ଷା କର୍ମୀ ତୁରନ୍ତ ତାଙ୍କୁ ନିକଟସ୍ଥ କ୍ରିଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତର ଅସ୍ତ୍ରୋପଚାର କରି ଗୁଳିଟିକୁ ବାହାର କରି ଦେଇଥିବାବେଳେ ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ତାଙ୍କ ମ୍ୟାନେଜର ଶଶି ସିହ୍ନା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।