ଦିଲ୍ଲୀ ଏମସିଡି ର ମେୟର ପଦପାଇଁ ଆସନ୍ତା ଜାନୁଆରୀ ୬ ତାରିଖରେ ହେବାକୁ ଯାଉଛି ନିର୍ବାଚନ । ବିଜେପି ଠାରୁ ଦିଲ୍ଲୀ ମହାନଗର ନିଗମ(ଏମସିଡି) ଛଢ଼ାଇ ଆଣିଥିବା ଆପ୍ ଆଜି ତାର ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆପ୍, ତରଫରୁ ମେୟର ପ୍ରାର୍ଥୀ ଭାବେ ଶୈଲୀ ଓବରାଇଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କ ନାମ ଡେପୁଟି ମେୟର ପଦ ଘୋଷଣା କରାଯାଇଛି ।
ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୩୪ଟି ଆସନ ଜିତିଥିବାରୁ ଦଳର ଦୁଇ ପ୍ରାର୍ଥୀ ବେଶ ସହଜରରେ ବିଜୟ ଲାଭ କରିବେ ବୋଲି ଆଶା କରାଯାଉଛି। କିନ୍ତୁ ମେୟର ନିର୍ବାଚନରେ ଦଳବଦଳ ନିରୋଧ ଆଇନ ଲାଗୁ ହେବନି। ତେଣୁ ଦଳୀୟ ଟିକେଟରେ ନିର୍ବାଚନ ଜିତିଥିବା କର୍ପୋରେଟରମାନେ ନିଜ ଇଚ୍ଛାରେ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟ ଦେଇପାରିବେ।ଦିଲ୍ଲୀ ଏମସିଡିର ମେୟର, ଡେପୁଟି ମେୟର ଓ ସଦନର ମୋଟ ୬ ସ୍ଥାୟୀ ସଦସ୍ୟ ନିର୍ବାଚନ ପାଇଁ ଜାନୁଆରୀ ୬ ତାରିଖକୁ ସ୍ଥିର କରାଯାଇଛି । ଉପ ରାଜ୍ୟପାଳ ବିକେ ସକସେନା ଏମସିଡିର ପ୍ରଥମ ବୈଠକରେ ଏହି ତାରିଖ ଘୋଷଣା କରିଥିଲେ ।