ଭୁବନେଶ୍ୱର, ଫେବୃଆରୀ ୮(ଖବର ଓଡ଼ିଶା): ପଞ୍ଚାୟତ ନିର୍ବାଚନ ପରେ ହେବାକୁ ଯାଉଛି ପୌର ନିର୍ବାଚନ । ଯାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଛି ସଜବାଜ । ପୌର ନିର୍ବାଚନ ସୁରୁଖୁରରେ କରାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଆରମ୍ଭ କରିଛନ୍ତି ପୌର ନିର୍ବାଚନ ପ୍ରସ୍ତୁତି ।
ତେବେ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ନିର୍ବାଚନ କମିଶନ ଜାରି କରିଛନ୍ତି ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚସୀମା । ଯାହା ଏବେ ପ୍ରାର୍ଥୀ ମାନଙ୍କୁ ଅଡୁଆରେ ପକାଇବାକୁ ଯାଉଛି ।
ନିର୍ବାଚନ କମିଶନଙ୍କ ନିଷ୍ପତି ଅନୂଯାଇ ୫୦ ହଜାର ଜନସଂଖ୍ୟା ଥିବା ଏନଏସି କିମ୍ବା ପୌରପାଳିକାରେ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୫୦ ହଜାର ଟଙ୍କା ଓ ମେୟର ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।
ସେହିଭଳି ୫୦ ହଜାରରୁ ୧ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୌରପାଳିକାରେ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୭୫ ହଜାର ଟଙ୍କା ଓ ମେୟର ପ୍ରାର୍ଥୀ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ପାଇଁ ଅନୁମତି ରହିଛି ।
ଏପଟେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ପୌରପାଳିକାରେ କାଉନସିଲର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଅନୁମତି ରହିଛି ଓ ମେୟର ପ୍ରାର୍ଥୀଙ୍କୁ ସର୍ବାଧିକ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଅନୁମତି ରହିଛି ।
ସେହିଭଳି ମହାନଗର ନିଗମ ଗୁଡିକରେ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଓ ମେୟର ପ୍ରାର୍ଥୀ ସର୍ବାଧିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଚାର ପାଇଁ ଖର୍ଚ୍ଚ କରିବାର ଅନୁମତି ରହିଛି ।