ଆଜି ତିନି ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ। ଆଜି ଅପରାହ୍ଣରେ ଭାରତର ନିର୍ବାଚନ କମିସନର ନାଗାଲାଣ୍ଡ୍, ମେଘାଳୟ ଏବଂ ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଓ କାର୍ଯ୍ୟନିର୍ଘଣ୍ଟ ଘୋଷଣା କରିବ। ସୂଚନା ଅନୁଯାୟୀ 2.30ରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିସନର ରାଜୀବ କୁମାର | ଚଳିତ ବର୍ଷ ମାର୍ଚ୍ଚ ମାସରେ ନାଗାଲାଣ୍ଡ୍, ତ୍ରିପୁରା ଓ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ନାଗାଲାଣ୍ଡ୍, ମେଘାଳୟ ଓ ତ୍ରିପୁରା ବିଧାନସଭାର 5 ବର୍ଷିଆ କାର୍ଯ୍ୟକାଳ ଯଥାକ୍ରମେ, ମାର୍ଚ 12, ମାର୍ଚ 15 ଓ ମାର୍ଚ 22 ରେ ଶେଷ ହେବ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ତିନି ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ପଡିବ। ତେଣୁ ସ୍ଥାନୀୟ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ଯାଏ ଏହି ତିନି ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଜୋରସୋର୍ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। 60 ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି କ୍ଷମତାରେ ଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମିଳିତ ଭାବେ କ୍ଷମତାରେ ରହିଛି। ନାଗାଲାଣ୍ଡ ଓ ମେଘାଳୟର 60 ଟି ଲେଖାଏଁ ଆସନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା ହେବ।