ଭୁବନେଶ୍ୱର, ଜାନୁଆରୀ ୨୮(ଖବର ଓଡ଼ିଶା): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ସବୁ ସଜବାଜ ଶେଷ ହେଲାଣି । ରାଜ୍ୟରେ ସବୁ ସ୍ତରରେ ଏବେ ନିର୍ବାଚନୀ ମାହୋଲ ମଧ୍ୟ ସରଗରମ ରହିଛି । ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ସ୍ୱାୟତ ସଂସ୍ଥାର କର୍ମଚାରୀ ମାନଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ପ୍ର୍ରଚାର ଓ ଭୋଟ୍ ସମୟରେ ସବୁ ସରକାରୀ କର୍ମଚାରୀ ମାନଙ୍କୁ ନିରପେକ୍ଷ ରହିବାକୁ ଚେତାବନୀ ଦିଆଯାଇଛି । ଯଦି ଏହାକୁ ଉଲଘଂନ କରି କୌଣସି କର୍ମଚାରୀ ପକ୍ଷପାତିତା କରିବାର ପ୍ରମାଣ ମିଳେ ତେବେ ସେମାନଙ୍କୁ ସଙ୍ଗେ ସଙ୍ଗେ ଚାକିରୀରୁ ବିତାଡିତ କରାଯିବ ବୋଲି ସତର୍କ କରାଇଛନ୍ତି ମୁଖ୍ୟ ସଚିବ ।
ପ୍ରଶାସନିକ କର୍ମଚାରୀ କିମ୍ବା ଅନ୍ୟ ସରକାରୀ କର୍ମଚାରୀ ଯେଉଁମାନେ ଇଲେକ୍ସନ ଡ୍ୟୁଟିରେ ନିୟୋଜିତ ଅଛନ୍ତି ସେମାନେ ଯେଉଁଭଳି କୌଣସି ଦଳୀୟ କିମ୍ବା କୌଣସି ପ୍ରାର୍ଥୀଙ୍କୁ ସୁହାଇବା ଭଳି କାର୍ଯ୍ୟକ୍ରମରେ ଯୋଗ ନଦେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।
ଏନେଇ ମୁଖ୍ୟ ସଚିବ ରାଜ୍ୟ ପୁଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ବିଭିନ୍ନ ଉଦ୍ୟୋଗ, ନିଗମ, ସ୍ୱାୟତ୍ତ ସଂସ୍ଥା, ସମବାୟ ସଂସ୍ଥାର କର୍ମଚାରୀମାନେ ଯେଭଳି ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରହିବେ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।
ଏହାସହିିତ ଏଭଳି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ଆଇପିସିର ୧୫୩ଏ, ୧୫୩ବି, ୧୭୧ବି, ୧୭୧ସି, ୧୭୧ଜି,୧୭୧ଏଚ ଓ ୫୦୫ ଧାରା ଅନ୍ତର୍ଗତ ମାମଲା ରୁଜୁ କରି ତୁରନ୍ତ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କହିଛନ୍ତି ।
ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଆଚରଣ ବିଧି ସମସ୍ତ ସରକାରୀ, ବିଭିନ୍ନ ଉଦ୍ୟୋଗ ଓ ନିଗମ, ସମବାୟ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଓ ପଂଚାୟତିରାଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ମୁଖ୍ୟ ସଚିବ ।