୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ | ଏପଟେ ଆଜି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଜି ଓଡିଶା ଗସ୍ତ କରିଛନ୍ତି | ଫୋକସରେ 2024 ଥିବା ବେଳେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାକାରୀଙ୍କ ସହ ଆଜି ବୈଠକ କରୁଛନ୍ତି ।
ତେବେ ଏହାର ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି, ବିଜେଡି ପାଖରେ ପଦ୍ମପୁର ମଡେଲ ହେଲେ ବିଜେପି ପାଖରେ ଧାମନଗର ମଡେଲ ରହିଛି । ଧାମନଗର ଓ ପଦ୍ମପୁର ଉପନିର୍ବାଚନ ବିଜେପିକୁ ଅନେକ ଶିକ୍ଷା ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ଓଡ଼ିଶାବାସୀ ବିଜେପିଠାରୁ ଏହା ଆଶା କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ‘ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ଅଛନ୍ତି । ନବୀନ କାହା ସହିତ ପ୍ରତିଦ୍ବନ୍ଦିତା କରିବାକୁ କିମ୍ବା ନକାରାତ୍ମକ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ । ସେ ସବୁବେଳେ ପଜିଟିଭ ଥାଆନ୍ତି । ସବୁବେଳେ ଏକ ହୋଇ ନିର୍ବାଚନ ଲଢ଼ାଯିବ । ଦଳରେ ବା ଦଳ ବିରୋଧରେ ଅସନ୍ତୋଷ ନାହିଁ, ଯାହା ଅର୍ବାନ ଓ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇସାରିଛି’ |