କନ୍ଧମାଳ, ଜାନୁଆରୀ ୧୫ (ଖବର ଓଡ଼ିଶା) : ଉପକୂଳ ଓଡ଼ିଶା ରେ ଚାଷୀଙ୍କୁ ବେଶ ଆୟ ଦେଉଥିବା ମେହେରବାନ ପ୍ରଜାତି ର କଦଳୀ ଚାଷ ଏବେ ପାହାଡିଆ କନ୍ଧମାଳ ଜିଲ୍ଲାରେ ବି ସଫଳତାର ସହ ଚାଷ ହୋଇପାରୁଛି ।
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଂଚାୟତ ର ୫୮ ପରିବାର ଏବେ ଏଭଳି ଚାଷରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପୂର୍ବରୁ ଯେଉଁ ଜମିରେ ଚାଷ କରି ବାର୍ଷିକ ୮ ହଜାର ଟଙ୍କା ର ଆୟ ପାଉଥିଲେ ଏବେ ସେତିକି ଜମିରୁ ୮୦ ହଜାର ଟଙ୍କାର ଆୟ ପାଉଛନ୍ତି ।
ମୁଣ୍ଡିଗଡ଼ ଓ ନୂଆସାହି ର ଚାଷୀ ଏବେ ବେଶ ଖୁସି । ଗ୍ରାମର ୫୮ ଚାଷୀ ପ୍ରତ୍ୟେକେ କଦଳୀ ବଗିଚା କରିବା ସହ ବାଡ଼ ବୁଜି ଫସଲ କୁ ପଶୁମାନଙ୍କ କବଳରୁ ସୁରକ୍ଷା ଦେଇଛନ୍ତି ।ମୋଟ ୧୪ ଏକର ଜମିରେ ଚାଷ ହୋଇଥିବା ବେଳେ ଜଣେ ଜଣେ ଚାଷୀ ୩୦୦ ଲେଖାଏଁ କଦଳୀ ଚାରା ଲଗାଇଛନ୍ତି । ଏକ ଏକର ଜମିରେ ୧୨୦୦ କରି ୧୪ ଏକର ଜମିରେ ୧୭୪୦୦ ଚାରା ରୋପଣ କରାଯାଇଛି ।
କଦଳୀ ଚାଷୀ ସୁବଳ ପାତ୍ର ଙ୍କ କହିବା କଥା ପୂର୍ବରୁ ସେ ମକା ଓ ସୋରିଷ ଚାଷ କରି ଯେଉଁ ଜମିରେ ବର୍ଷକୁ ୮ ହଜାର ପାଉଥିଲେ ଏବେ ସେତିକି ଜମିରେ କଦଳୀ କରି ୮୦ ହଜାର ପାଇଛନ୍ତି ।
୩୦୦ କଦଳୀ କାନ୍ଧି ଅମଳ କରିଥିବା ସୁବଳ କହନ୍ତି ସେ ଅମଳ କରିଥିବା ଗୋଟିଏ ଗୋଟିଏ କାନ୍ଧି ର ଓଜନ ୨୭ /୨୮ କେଜି । କେଜି ପ୍ରତି ୧୦ ଟଙ୍କାଦର ରେ ସେ ୮୧ ହଜାର ଟଙ୍କା ଆୟ କରିଛନ୍ତି । ମୁଣ୍ଡିଗଡ଼ ଚାଷୀ ଙ୍କ ସଫଳତା ଦେଖିବା ପରେ ଖମନଖୋଲ,ଧୁଙ୍ଗିଆ ପଖାଳ ଗାଁରେ ଏବେ କଦଳୀ ଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରିଛନ୍ତି ।