ପୁରୀ, ଫେବୃଆରୀ ୦୮(ଖବର ଓଡିଶା):
ପୁରୀରେ ସକ୍ରିୟ ବାଲି ମାଫିଆ । ରାତି ଅଧରେ ଚାଲିଛି ବେଧଡକ ବାଲି ଚୋରାଚାଲାଣ । ଦୀର୍ଘଦିନ ଧରି ଚାଲିଥିବା ଏହି ରାକେଟର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ । ଟ୍ରକ ଯୋଗେ ବଳିଆପଣ୍ଡା ଲାଇଟ ହାଉସ ବେଳାଭୂମିରୁ ମଙ୍ଗଳାନଦୀ ମୁହାଣ ଯାଏଁ ବେଆଇନ ଭାବେ ଚାଲିଥିବା ବାଲି ଚାଲାଣ ଉପରେ ଗତକାଲି ରାତିରେ ପୋଲିସ ଏବଂ ସେସୁ ମିଳିତ ଭାବେ ଚଢାଉ କରିଛନ୍ତି । ଏହାସହ ପୋଲିସ ୧୫ଟି ବାଲି ବୋଝେଇ ଟ୍ରକ ସମେତ ୨ଟି ଜେସିବି ଏବଂ ଗୋଟିଏ ହାଇୱା ଜବତ କରିଛି ।
ପୂର୍ବରୁ ଜିଲ୍ଲାରେ ବାଲି ଚୋରାଚାଲାଣ ଫଳରେ ମାଟିତଳେ ଥିବା ବିଦ୍ୟୁତ ତାର ନଷ୍ଟ ହୋଇଥିଲା । ଫଳରେ ୫୦ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଥିଲା । ଏନେଇ ସେସୁ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା ।
ଅଭିଯୋଗକୁ ଭିତି କରି ଗତକାଲି ବିଳମ୍ବିତ ରାତ୍ରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଉପ ଜିଲ୍ଲାପାଳ, ସେସୁ ଅଧିକାରୀ, ବଳିଆପଣ୍ଡା ପୋଲିସ, ସମୁଦ୍ରକୂଳ ପୋଲିସ ମିଳିତ ଭାବେ ସେଠାରେ ଚଢାଉ କରିଥିଲେ । ଏହାପରେ ରାକେଟର ପର୍ଦ୍ଦାଫାସ ହୋଇଥିଲା । ଘଟଣାସ୍ଥଳରୁ ୧୫ଟି ବାଲି ଟ୍ରକ ଜବତ ହେବା ସହ ୯ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ତେବେ ଏହି ବାଲି କିଏ ଏବଂ କେଉଁଠାକୁ ନେଉଥିଲା ତାହାର ତଦନ୍ତ ହେବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।