ରାୟଗଡ଼ା: ଯେଉଁ ବ୍ୟକ୍ତି ଆଜି ବଞ୍ଚିଛନ୍ତି, କଥା କହୁଛନ୍ତି ଏବଂ ନ୍ୟାୟ ପାଇଁ ସରକାରୀ କାର୍ଯ୍ୟାଳୟ ଦୌଡ଼ୁଛନ୍ତି, ସେହି ବ୍ୟକ୍ତିଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ତାଙ୍କ ଜମି ହଡପ୍ କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅନ୍ତର୍ଗତ ତଳପଡିଖାଲ ଗ୍ରାମରୁ ସାମ୍ନାକୁ ଆସିଛି ଏହି ଚମକାଇଦେବା ଭଳି ଘଟଣା।
ଅଭିଯୋଗ ଅନୁସାରେ, ତଳପଡିଖାଲ ଗ୍ରାମର ବୃଦ୍ଧ ଦିଉଡୁ ମାଝୀଙ୍କ ୪୯ ସେଣ୍ଟ ଜମିକୁ ୨୦୨୪ ମସିହାରେ ତାଙ୍କ ପୁତୁରା ସାନି ମାଝୀ ନିଜ ନାମରେ କରାଇ ନେଇଥିଲେ। ଏଥିପାଇଁ ଦିଉଡୁ ମାଝୀଙ୍କୁ ମୃତ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ତତ୍କାଳୀନ ରାଜସ୍ୱ ନିରୀକ୍ଷକ (ଆରଆଇ) କେଶବ ସାହୁଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦିଉଡୁଙ୍କ ଅଭିଯୋଗ, ଆରଆଇଙ୍କ ସହଯୋଗରେ ଚଞ୍ଚକତା କରି ତାଙ୍କ ଜମି ପୁତୁରା ନିଜ ନାମରେ ପଟ୍ଟା କରାଇ ନେଇଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଦିଉଡୁ ମାଝୀଙ୍କୁ କାଗଜପତ୍ରରେ ମୃତ ଦର୍ଶାଯାଇଛି, ସେ ଆଜି ଜୀବିତ ଅଛନ୍ତି ଏବଂ ନିଜ ଅଧିକାର ପାଇଁ ଲଢ଼ୁଛନ୍ତି। ଘଟଣା ଜଣାପଡ଼ିବା ପରେ ଦାଦା-ପୁତୁରାଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ଗତ ଦେଢ଼ ବର୍ଷ ଧରି ଦିଉଡୁଙ୍କୁ ସେହି ଜମିରେ ପ୍ରବେଶ କରିବାକୁ ମଧ୍ୟ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି।
“ମୋତେ କାଗଜପତ୍ରରେ ମାରିଦେଇଛନ୍ତି,” ବୋଲି କହି ଦିଉଡୁ ମାଝୀ ପ୍ରଥମେ କାଶୀପୁର ତହସିଲଦାରଙ୍କ ନିକଟରେ ଏବଂ ପରେ ରାୟଗଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେ ନିଜ ଜମି ଫେରାଇବା ସହ ଭୁଲ୍ ରିପୋର୍ଟ ଦେଇଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜଣେ ଜୀବିତ ବ୍ୟକ୍ତିଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ଜମି ହଡପ୍ କରାଯାଇଥିବା ଏହି ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।