ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ଉତ୍ତରାଖଣ୍ଡ ରିସର୍ଟର ରିସେପଶନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ମୃତ୍ୟୁ ମାମଲାରେ ପୁଲିସକୁ ଜମ୍ମୁର ଜଣେ ବ୍ୟକ୍ତିଙ୍କ ସହିତ ଅଙ୍କିତାଙ୍କ ଚାଟିଂ ଓ ଏକ ଅଡିଓ ମିଳିଛି । ଅଙ୍କିତାଙ୍କୁ ଏହି ବ୍ୟକ୍ତି ରିସର୍ଟରେ ଚାକିରି କରାଇ ଦେଇଥିଲେ । ଏହି ବ୍ୟକ୍ତି ହେଲେ ଦୀପ ପୁଷ୍ପ । ଉଭୟଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା । ଦୀପଙ୍କ କହିବା ଅନୁସାରେ ଅଙ୍କିତାଙ୍କୁ ସେ ଓଲେକ୍ସ ବିଜ୍ଞାପନ ମାଧ୍ୟମରେ ଚାକିରି କରାଇ ଦେଇଥିଲେ ।
ପଚରାଉଚରା ବେଳେ ଦୀପ ପୁଲିସକୁ କହିଛନ୍ତି ଯେ, ଅଙ୍କିତାଙ୍କ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ ଗତ ୧୭ ତାରିଖରେ ସେ ଅଙ୍କିତାଙ୍କୁ କହିଥିଲେ ଯେ, ସେ ଋଷିକେଶରେ ଥିଲେ । ଏବେ ଜମ୍ମୁ ଯାଉଛି । ସେ କହିଛନ୍ତି ଯେ, ଗତ ଅଗଷ୍ଟ ୨୮ ତାରିଖରେ ଅଙ୍କିତା ରିସର୍ଟରେ ରିସେପଶନିଷ୍ଟ ଭାବେ ଚାକିରି ଆରମ୍ଭ କରିଥିଲେ । ଦୀପ ପୁଲିସକୁ କହିଛନ୍ତି ଯେ, ସେପ୍ଟେମ୍ବର ୧ ତାରିଖରେ ମେସେଜ କରି ଅଙ୍କିତା କହିଥିଲେ ଯେ, ତାଙ୍କୁ ଜଣେ ଯୁବକ ବଳପୂର୍ବକ ଗଳା ଲଗାଇବାକୁ ଉଦ୍ୟମ କରିଥିଲା ।
ଅଙ୍କିତା ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ସମସ୍ତ ରିସର୍ଟର ତଦନ୍ତ ପାଇଁ ଜିଲ୍ଲା ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଯେଉଁ ରିସର୍ଟ ବେଆଇନ ଭାବେ ନିର୍ମିତ ହୋଇଛି, ଏହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏତଦ ବ୍ୟତୀତ ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ହୋଟେଲ, ରିସର୍ଟ, ଅତିଥି ଭବନର କର୍ମଚାରୀଙ୍କ ସ୍ଥିତି ସଂପର୍କରେ ସୂଚନା ଦେବାକୁ ଆଦେଶ ଦେଇଛନ୍ତି । ଅଙ୍କିତା ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି ।