ନ୍ୟୁୟର୍କ, ମେ ୧୫ (ଖବର ଓଡ଼ିଶା): ଆମେରିକୀୟ ସହର ନ୍ୟୁୟର୍କର ବଫେଲୋସ୍ଥିତ ଏକ ସୁପରମାର୍କେଟରେ ଶନିବାର ଅପରାହ୍ନରେ ଅନେକ ଲୋକଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ବନ୍ଧୁକଧାରୀ ଆତତାୟୀ ମିଲିଟାରୀ ଷ୍ଟାଇଲରେ ପୋଷାକ ପିନ୍ଧିଥିଲା । ସେ ଏକ କାର୍ରେ ରାଇଫଲ ନେଇ ସୁପରମାର୍କେଟରେ ପହଞ୍ଚିଥିଲା । ଏହା ପରେ ଫାଇରିଂ ଆରମ୍ଭ କରିଦେଇଥିଲା ।
ପୋଲିସ କହିଛି ବନ୍ଧୁକଧାରୀକୁ ଅଟକ ରଖାଯାଇଛି । ଟପ ଫ୍ରେଣ୍ଡଲୀ ମାର୍କେଟରେ ହୋଇଥିବା ଗୁଳିମାଡ଼ରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଭର୍ଣ୍ଣର କ୍ୟାଥ ହୋଚୁଲ ଟୁଇଟ୍ କରି ନିଜର ଗୃହନଗର ବଫେଲୋରେ ଏକ କିରାନା ଦୋକାନରେ ହୋଇଥିବା ଏହି ଅଘଟଣକୁ ନେଇ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।
ଏଫବିଆଇର ଏକ ଟିମ୍ ସନ୍ଦିଗ୍ଧକୁ ପଚରାଉଚରା କରୁଛି । ତଦନ୍ତକାରୀଙ୍କୁ ସନ୍ଦେହ ହୋଇଛି ଯେ, ବନ୍ଧୁକଧାରୀ ପୂରା ଘଟଣାକ୍ରମର ଲାଇଭ୍ ଷ୍ଟ୍ରିମିଂ ନିଜର ହେଲମେଟରେ ଲାଗିଥିବା କ୍ୟାମେରାରେ ରେକର୍ଡ କରିଛି, ଯାହାକି ଏହା ସାମ୍ନାକୁ ଆସିଛି । ସେ ପାର୍କିଂ ଲଟ୍ରେ ଆଗ ସିଟରେ ରାଇଫଲ ରଖିଥିବା ନଜରକୁ ଆସିଛି । ଗାଡିରୁ ବାହାରିବା ପରେ ସେ ଗୁଳିମାଡ଼ କରିଛି ।