ସବୁଠୁ ଧନୀ ମୁକେଶ ଅମ୍ଵାନୀ, କିନ୍ତୁ ପରୋପକାରରେ ଏହି ବ୍ୟକ୍ତି ଅଛନ୍ତି ପ୍ରଥମ ସ୍ଥାନରେ
Khabar Odisha:business-odisha-shiva-nadar-leads-philanthropy-mukesh-ambani-in-third-place
ମୁମ୍ବାଇ,ଅକ୍ଟୋବର୧୪(ଖବର ଓଡ଼ିଶା):

ପରୋପକାର ଓ ଜନ କଲ୍ୟାଣ ପାଇଁ ଆର୍ଥିକ ସହାୟତା ଦେବା ମାମଲାରେ ସବୁଠୁ ଧନୀ ଭାରତୀୟ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ତୃତୀୟ ସ୍ଥାନରେ ଥିବା ବେଳେ ଆଇଟି ସେକ୍ଟର କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ପ୍ରମୁଖ ଶିବ ନାଡର ଏହି ତାଲିକାରେ ସବୁଠୁ ଉପରେ ଅଛନ୍ତି। ଏଡଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ଜାରି ହେଉଥିବା ପରୋପକାରୀ ଲୋକଙ୍କ ତାଲିକା ୨୦୧୯ରେ ଅଜିମ ପ୍ରେମଜୀ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

ପ୍ରେମଜୀ ୨୧ ଅରବ ଡଲାର ଜନକଲ୍ୟାଣ କାମ ପାଇଁ ଦେବାକୁ ଘୋଷଣା କରିଛନ୍ତି, ଯାହା ବହୁତ ଚର୍ଚ୍ଚାରେ ରହିଥିଲା। ଭାରତୀୟ ଉଦ୍ୟୋଗଜଗତ ଦୀର୍ଘ ସମୟରୁ ସାମାଜିକ କାର୍ଯ୍ୟ ପାଇଁ ଖର୍ଚ୍ଚ କରି ଆସୁଛନ୍ତି। ମାତ୍ର ୨୦୧୩ରେ କମ୍ପାନୀ କାନୁନରେ  ଏକ ନିର୍ଦ୍ଧାରିତ ସୀମାରୁ ଅଧିକ କାରବାର କରୁଥିବା, ମୁନାଫା ପାଉଥିବା କମ୍ପାନୀଙ୍କ ପାଇଁ ନିଜ ଲାଭାଂଶର ୨ ପ୍ରତିଶତ କର୍ପୋରେଟ୍ ସାମାଜିକ ଦାୟିତ୍ଵ(ସିଏସଆର)ରେ ଖର୍ଚ୍ଚ କରିବା ବାଧ୍ୟତାମୂଳକ କରାଯାଇଛି। 

ପରୋପକାରୀ ତାଲିକା ଅନୁସାରେ ନାଡର ଏବଂ ତାଙ୍କ ପରିବାର ସାମାଜିକ କଲ୍ୟାଣ ପାଇଁ ୮୨୬ କୋଟି ଟଙ୍କା ଦେଇଛନ୍ତି। ଅଜିମ ପ୍ରେମଜୀ ୪୫୩ ଟଙ୍କା ଏବଂ ମୁକେଶ ଅମ୍ବାନୀ ୪୦୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 

ଏଡଲଗିଭ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଦ୍ୟା ଶାହା କହିଛନ୍ତି ଯେ, ଏବେ ବି ଅନେକ ପ୍ରସଙ୍ଗ ରହିଛି, ଯାହାକୁ ନେଇ ଉଦ୍ୟୋଗପତିଙ୍କ ମନରେ ପରୋପକାରୀ କାମ  ପାଇଁ ଅଧିକ ଅର୍ଥ ଦେବାରେ ମନରେ ସଂଶୟ ରହିଛି। ସାମାଜିକ କାର୍ଯ୍ୟ ପାଇଁ ପାଞ୍ଚ କୋଟିରୁ ଅଧିକ ଟଙ୍କା ଦେଉଥିବା ଭାରତୀୟଙ୍କ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇ ୭୨ରେ ପହଞ୍ଚିଛି। ୨୦୧୮ରେ ଏହା ୩୮ରେ ଥିଲା।

ଏହି ସମୟରେ ସାମାଜିକ କାମ ପାଇଁ ଦିଆଯାଇଥିବା ରାଶି ଦୁଇ ଗୁଣ ବଢି ୪,୩୯୧ କୋଟି ଟଙ୍କାରେ ପହଞ୍ଚିଛି। ଏଥିରୁ ଅଧା ଅର୍ଥ ବ୍ୟକ୍ତିଗତ ଭାବେ ଦିଆଯାଇଥିବା ଦାନରୁ ଆସିଛି। ବାକି ଯୋଗଦାନ କମ୍ପାନୀଗୁଡିକ ଦେଇଛନ୍ତି। ପରୋପକାର କାମ ରୂପେ ସବୁଠୁ ଅଧିକ ପସନ୍ଦର କ୍ଷେତ୍ର ଶିକ୍ଷା ପାଲଟିଛି। ଏହି କ୍ଷେତ୍ରରେ ସହଯୋଗ ପାଇଁ ଲୋକେ ଅଧିକ ରୁଚି ଦେଖାଉଛନ୍ତି। ଦ୍ଵିତୀୟରେ ରହିଛି ସ୍ଵାସ୍ଥ୍ୟ କ୍ଷେତ୍ର। ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକଣୀ ଓ ତାଙ୍କର ପତ୍ନୀ ରୋହିଣୀ ସାମାଜିକ ମଞ୍ଚ ଜରିଆରେ ପରୋପକାର କାର୍ୟ୍ୟ  ପାଇଁ ୩୪୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Subscribe

National International State Sports Entertainment