ବାହୁଡ଼ାଯାତ୍ରା ପାଇଁ ସଜବାଜ, ଦକ୍ଷିଣମୋଡ଼ ହେଲା ତିନି ରଥ
Khabar Odisha:southwards-of-three-chariot-in-puri
ପୁରୀ, ଜୁଲାଇ ୧୦ (ଖବର ଓଡ଼ିଶା):

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶରଧାବାଲିରେ ଥିବା ତିନି ରଥକୁ ଏବେ ଦକ୍ଷିଣ ମୋଡ଼ କରାଯାଇଛି । ହେରାପଞ୍ଚମୀ ପରେ ଷଷ୍ଠୀରେ ତାଳଧ୍ୱଜ ଓ ଦେବଦଳନ ରଥକୁ ନାକଚଣା ଦ୍ୱାରରେ ରଖାଯାଇଛି । ଏହା ପରେ ଆଜି ନନ୍ଦିଘୋଷକୁ ଦକ୍ଷିଣ ମୋଡ଼ କରାଯାଇଛି । ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ହେବ । 

ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ରଥତ୍ରୟ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ। ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବ ପ୍ରଥମେ ଟଣା ହୋଇଥାଏ । ତତ୍ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ । ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଇଥାନ୍ତି। ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି। 

ଏହି ରଥଟଣାର ତାତ୍ପର୍ଯ୍ୟ ହେଲା ଯେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ୍ ଭାଗରେ ଦଉଡି ସଂଯୋଗ ହେଉଥିଲା। ଗୋଟିଏ ରଥଟଣା ହେବା ବେଳେ ରଥକୁ କିଛି ଦୂର ଆଗକୁ ଓ ପୁନଶ୍ଚ ପଛକୁ ଏହିପରି ବାରମ୍ବାର ଟଣାଯାଇ ଧିରେ ଧିରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଠାରୁ ଅପରପାର୍ଶ୍ୱରେ ଥିବା ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣାଭିମୁଖରେ ଯଥାସମ୍ଭବ ସମାନ ଭାବେ ରଖାଯାଇଥାଏ। ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ। କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି । 

  • Tags:

Subscribe

National International State Sports Entertainment