Home >
ନୋଟବନ୍ଦୀକୁ ୨ ବର୍ଷ: କଂଗ୍ରେସର ଆକ୍ରମଣ ଓ ସରକାରଙ୍କ ଆତ୍ମରକ୍ଷା
Khabar Odisha:war-of-words-on-demonetisation-jaitley-says-raised-tax-base-rahul-gandhi-claims-it-cost-1-5-mn-jobs
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

ଗୁରୁବାର ନୋଟବନ୍ଦୀର ଦୁଇ ବର୍ଷ ପୂର୍ତ୍ତି ପରେ ସରକାର ଓ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ବାକ୍ ଲଢେଇ ଦେଖିବାକୁ ମିଳିଛି। ଗୋଟିଏ ପଟେ ନୋଟବନ୍ଦୀ ଫଳରେ କରଦାତାଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହୁଥିବା ବେଳେ ଅନ୍ୟ ପଟେ ଏହି ନୋଟବନ୍ଦୀ କାରଣରୁ ୧୫ ଲକ୍ଷ ଲୋକ ନିଜର ରୋଜଗାର ହରାଇଲେ ଏବଂ ଦେଶର ଜିଡିପି ହ୍ରାସ ଘଟିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ ନୋଟବନ୍ଦୀକୁ କ୍ରୁର ଷଡ଼ଯନ୍ତ୍ରର ଆଖ୍ୟା ଦେଇଛନ୍ତି।

ନୋଟବନ୍ଦୀର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଜେପି ମଧ୍ୟ କଂଗ୍ରେସ ଉପରେ ହମଲା କରିଛି ଏବଂ ପାର୍ଟିକୁ ୧୦ଟି ପ୍ରଶ୍ନ କରିଛି। ବିଜେପି ଅଭିଯୋଗ କରିଛି ଯେବେ ବି ଭ୍ରଷ୍ଟାଚାର ବିରୋଧରେ ଅଭିଯାନ ଆରମ୍ଭ ହୋଇଛି କଂଗ୍ରେସ ଏହାକୁ କଣ ପାଇଁ ବିରୋଧ କରୁଛି। ଭ୍ରଷ୍ଟାଚାର ମାମଲାରେ ଛନ୍ଦି ହୋଇ ଯାଞ୍ଚର ସମ୍ମୁଖୀନ ହେଉଥିବା ପି ଚିଦାମ୍ଵରମଙ୍କୁ ନୀତିଗତ ପ୍ରସଙ୍ଗରେ କହିବାର ଅଧିକାର ନାହିଁ ବୋଲି ବିଜେପି କଠୋର ଶବ୍ଦରେ କହିଛି। 

ନୋଟବନ୍ଦୀକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଫେସବୁକରେ ଏକ ପୋଷ୍ଟ ଲେଖିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ନୋଟବନ୍ଦୀ କାରଣରୁ ଆୟକର ଦାତାଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ଘଟି ୬ ଲକ୍ଷ ୮୬ ହଜାର କୋଟିରେ ପହଞ୍ଚିଛି। ଦେଶରେ ଡିଜିଟାଲ ନେଣଦେଣ ବୃଦ୍ଧି ଘଟିଛି, ଗରିବଙ୍କ ମୌଳିକ ବିକାଶ ପାଇଁ ଅଧିକ ସମ୍ବଳର ଉପଲବ୍ଧତା ନୋଟବନ୍ଦୀ କାରଣରୁ ହୋଇଛି ବୋଲି ଜେଟଲୀ ଲେଖିଛନ୍ତି।

ଅନ୍ୟ ପଟେ ରାହୁଲ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ଏହି ପଦକ୍ଷେପ ଜନତାଙ୍କ ପ୍ରତି ଆତ୍ମଘାତୀ ଆକ୍ରମଣ ଥିଲା। ନୋଟବନ୍ଦୀ ଜରିଆରେ ପିଏମ ମୋଦୀ ନିଜର ସୁଟ୍-ବୁଟ୍ ମିତ୍ରଙ୍କୁ କଳାଧନକୁ ଧଳା କରିବାର ସୁଯୋଗ ଦେଇଛନ୍ତି।  ଭାରତ ଇତିହାସରେ ନଭେମ୍ବର ୮ ତାରିଖ ସର୍ବଦା କଳଙ୍କର ଦିନ ରୂପେ ଦେଖାଯିବ ବୋଲି ରାହୁଲ କହିଛନ୍ତି। ଆଜିର ଦିନରେ ନୋଟବନ୍ଦୀର ଘୋଷଣାରେ ଦେଶର ୮୬ ପ୍ରତିଶତ ମୁଦ୍ରା ପ୍ରଚଳନରୁ ବାହାରି ଯାଇଥିଲା। ଫଳରେ ଆମର ଅର୍ଥବ୍ୟବସ୍ଥା ମନ୍ଥର ହୋଇଯାଇଛି ବୋଲି ରାହୁଲ କହିଛନ୍ତି। 

Subscribe

National International State Sports Entertainment