ନୂଆଦିଲ୍ଲୀ, ଫେବୃଆରୀ୧୨(ଖବର ଓଡ଼ିଶା):
ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଜିର ସମୟରେ ସବୁ ବ୍ୟାଟସମ୍ୟାନଙ୍କଠାରୁ ବହୁତ ଆଗରେ ଅଛନ୍ତି ଏବଂ ମହାନ ହେବା ଦିଗରେ ଅଗ୍ରସର ହେଉଛନ୍ତି। ରନ ମେସିନ କୋହଲିଙ୍କ ପାଇଁ ୨୦୧୮ ବର୍ଷ ବହୁତ ସଫଳ ରହିଛି। କୋହଲି ଏହି ବର୍ଷରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଟେଷ୍ଟ ଓ ଦିନିକିଆରେ ସର୍ବଶ୍ରେଷ୍ଠ କ୍ରିକେଟ୍ ଟାଇଟଲ ଜିତିଛନ୍ତି। ଏହି ସମୟରେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ, ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ୍ ସ୍ମିଥ, ଇଂଲଣ୍ଡର ଜୋ ରୁଟଙ୍କୁ ପଛରେ ପକାଇ କୋହଲି ଗତ ବର୍ଷ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଦିନିକିଆ ଓ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାରେ ଶୀର୍ଷରେ ଅଛନ୍ତି।
ସାଙ୍ଗାକାରା ଏକ ଟିଭି ନ୍ୟୁଜ୍ ଚ୍ୟାନେଲଙ୍କୁ କହିଛନ୍ତି ଯେ, ବିରାଟ କୋହଲିଙ୍କ ଖେଳ ଶୈଳୀ ସମସ୍ତଙ୍କଠୁ ଭିନ୍ନ। ତେଣୁ ବର୍ତ୍ତମାନ ସମୟରେ କ୍ରିକେଟରେ ସେ ବାକି ଖେଳାଳିଙ୍କଠୁ ବହୁତ ଆଗରେ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କୋହଲି ଯଦି ସର୍ବକାଳୀନ ମହାନତମ କ୍ରିକେଟ୍ ନହୋଇ ପାରିଲେ ମଧ୍ୟ ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ନିଶ୍ଚୟ ରହିବେ। ୨୨୨ ଏକଦିବସୀୟ ମ୍ୟାଚରୁ କୋହଲି ୩୯ ଶତକ ଲଗାଇ ସାରିଛନ୍ତି। ଏହି ତାଲିକାରେ ସେ ସଚିନ ତେନ୍ଦୁଲକରଙ୍କଠୁ ପଛରେ ଅଛନ୍ତି। ସଚିନ ୪୬୩ଟି ମ୍ୟାଚରୁ ୪୯ ଶତକ ହାସଲ କରିଥିଲେ।
ଏହା ବ୍ୟତୀତ ୭୭ ଟେଷ୍ଟରୁ ବିରାଟଙ୍କ ନାମରେ ୨୫ ଟେଷ୍ଟ ଶତକ ମଧ୍ୟ ରହିଛି। ସାଙ୍ଗାକାରା କହିଛନ୍ତି ଯେ କୋହଲି ସବୁ ଫର୍ମାଟରେ ସଫଳତାର ଶୀର୍ଷରେ ଅଛନ୍ତି। ସେ ଯେଉଁ ଲୟରେ ଏବେ ବ୍ୟାଟିଂ କରୁଛନ୍ତି ତାକକୁ ଦେଖିଲେ ଲାଗୁଛି ସେ ବ୍ୟାଟିଂରେ ସବୁ ରେକର୍ଡ ଭଙ୍ଗ କରିବେ। ସେ ପରିସ୍ଥିତିକୁ ବହୁତ ଭଲ ଭାବେ ବୁଝିଥାନ୍ତି। ଯଦି ପଡିଆରେ ତାଙ୍କର ଶୈଳୀ ଦେଖିବେ ତେବେ ତାଙ୍କଠାରେ ଜଣେ ବ୍ୟକ୍ତି ଓ ବ୍ୟାଟସମ୍ୟାନଙ୍କ ପ୍ରତିରୂପ ଦେଖିବାକୁ ମିଳିଥାଏ।
ସାଙ୍ଗାକାରାଙ୍କ ପୂର୍ବତନ ସହଯୋଗୀ ଖେଳାଳି ମହେଲା ଜୟବର୍ଦ୍ଧନ ମଧ୍ୟ କୋହଲିଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କୋହଲି ଯେଉଁଭଳି ଭାବେ ୧୩୦ କୋଟି ଲୋକଙ୍କ ଆଶାର ବୋଝ ନେଇ ବ୍ୟାଟିଂ କରୁଛନ୍ତି ତାହା ପ୍ରଶଂସନୀୟ।