Home >
ଏସପି-ବିଏସପି ମେଣ୍ଟ ପରେ ମାୟାବତୀଙ୍କୁ ଘାରିଲା ଇଭିଏମ ଓ ରାମ ମନ୍ଦିର ଭୟ
Khabar Odisha:politics-Odisha-Lucknow-Mayabati-Slams-BJP
ଲକ୍ଷ୍ନୌ , ଜାନୁଆରୀ ୧୨(ଖବର ଓଡ଼ିଶା):

ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ଉତ୍ତର ପ୍ରଦେଶରେ ରୋକିବା ପାଇଁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରିବାକୁ ଆଜି ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହି ସମୟରେ ବିଏସପି ସୁପ୍ରିମୋ ମାୟାବତୀ ମେଣ୍ଟ ଐତିହାସିକ ବିଜୟ ହାସଲ କରିବ ବୋଲି କହିଛନ୍ତି। ମାତ୍ର ତାଙ୍କୁ ଇଭିଏମ ଓ ରାମ ମନ୍ଦିର ଡରର ଭୟ ଘାରୁଛି। ମାୟାବତୀ କହିଛନ୍ତି ଯେ ଯଦି ବିଜେପି ଇଭିଏମ ଓ ରାମ ମନ୍ଦିରକୁ ନେଇ କୌଣସି ଚାଲ ନଖେଳେ ତେବେ ଆମର ମେଣ୍ଟ ବିଜେପିକୁ କ୍ଷମତାରୁ ବଦେଦଖଲ କରି ଦେବ। 

ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରି ମାୟାବତୀ କହିଛନ୍ତି ଯେ ୮୦ ସିଟ ବିଶିଷ୍ଟ ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ୨୦୧୯ ସମୟରେ ମେଣ୍ଟ ବିଜେପିକୁ ରୋକିବା ପାଇଁ ସଫଳ ହେବ ଏବଂ ମୋଦୀ ସରକାର ପୂର୍ନବାର କ୍ଷମତାସୀନ ହୋଇ ପାରିବ ନାହିଁ, ଯଦି ପୂର୍ବପରି ଭୋଟିଂ  ମେସିନରେ କୌଣସି ଗଡ଼ବଡ଼ କରାନଯାଏ ଏବଂ ରାମ ମନ୍ଦିର ମାମଲାରେ ଜନଭାବନାକୁ ଉସୁକାନଯାଏ ତେବେ ଏହା ସମ୍ଭବ ହୋଇ ପାରିବ।

ବେଇମାନ କରି ବିଧାନସଭା ନିର୍ବାଚନ ଜିତିଥିଲା ବିଜେପି

ଏହା ପୂର୍ବରୁ ମାୟାବତୀ କହିଛନ୍ତି ଯେ ୨୦୧୭ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବେଇମାନି କରି କ୍ଷମତା ହାସଲ  କରିଥିଲା। ମାତ୍ର ଆମର ମେଣ୍ଟ ଏବେ ଏହି ଜନବିରୋଧୀ ସରକାରଙ୍କୁ କ୍ଷମତାରୁ ଦୂରେଇ ରଖିବ। ଅଂହକାରୀ ବିଜେପି ଶାସନରେ ଲୋକେ ହଇରାଣ ଭୋଗୁଛନ୍ତି। ଯେମିତି ଆମେ ଉପ ନିର୍ବାଚନରେ ବିଜେପିକୁ ହରାଇଲୁ, ଠିକ୍ ସେହି ଭଳି ଲୋକସଭା ନିର୍ବାଚନରେ ଆମେ ହରାଇବୁ। ଆମ ମେଣ୍ଟରେ ବିଜେପିର ଅତ୍ୟାଚାରର ଅନ୍ତ ହେବ ବୋଲି ମାୟାବତୀ କହିଛନ୍ତି। 

ଅନ୍ୟ ପଟେ ଅଖିଳେଶ ଯାଦବ କହିଛନ୍ତି ଯେ ପୂରା ଦେଶରେ ଅରାଜକତାର ମାହୋଲ ରହିଛି। ରାଜ୍ୟରେ କ୍ଷୁଧା ଓ ଗରିବି ଚରମରେ ରହିଛି। ବିଜେପି ଧର୍ମ ନାମରେ ରାଜନୀତି କରୁଛି। ବିଜେପି ଧର୍ମ, ସମାଜ ନାମରେ ବିଭାଜନ ରାଜନୀତି ଚଳାଇଛି। ଆମ ମେଣ୍ଟରେ  ବିଜେପିର ଅନ୍ୟାୟ ଓ ଅତ୍ୟାଚାରର ଅନ୍ତ ହେବ। 

ଉଲ୍ଲେଖଯୋଗ୍ୟ ଲକ୍ଷ୍ନୌରେ ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କ ସଂଯୁକ୍ତ ଗଣମାଧ୍ୟମ ସମ୍ମିଳନୀରେ ମହାମେଂଟର ଚିତ୍ର ସ୍ପଷ୍ଟ କରିଛନ୍ତି ମାୟାବତୀ । ଉଭୟ ଦଳ ୩୮-୩୮ ଆସନରୁ ନିର୍ବାଚନ ଲଢିବେ । ୨ଟି ଆସନ ଅନ୍ୟ ଦଳ ପାଇଁ ଏବଂ ୨ଟି ଆସନ କଂଗ୍ରେସ ପାଇଁ ଛାଡିବେ ବୋଲି ମୟାବତୀ କହିଛନ୍ତି । ଅମେଠି ଏବଂ ରାୟବରେଲି ରାହୁଲ ଓ ସୋନିଆଙ୍କ ଆସନ ହୋଇଥିବା ହେତୁ ଏହି ଦୁଇଟି ଆସନ କଂଗ୍ରସ ପାଇଁ ଛାଡିବେ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି ।

Subscribe

National International State Sports Entertainment