Home >
ମେଡ଼ିକାଲ କଲେଜରେ ଆଡ଼ମିଶନ୍‌ ପାଇଁ ଠକିନେଲେ ୮୯ ଲକ୍ଷ ଟଙ୍କା, ଟାର୍ଗେଟ୍‌ରେ ଅଣଓଡ଼ିଆ ପିଲା
Khabar Odisha:odisha-89-lakhs-fraud-for-addmission-in-medical-college
ଭୁବନେଶ୍ୱର, ଫେବୃୟାରୀ ୧୨ (ଖବର ଓଡ଼ିଶା):

ଓଡ଼ିଶାର ପ୍ରତିଷ୍ଠିତ ମେଡ଼ିକାଲ କଲେଜ୍‌ରେ ନାଁ ଲେଖାଇବା ଆଳରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହୋଇଛି ହଡ଼ପ୍‌ । ଟାର୍ଗେଟ୍‌ରେ ଅଛନ୍ତି ଅଣ ଓଡ଼ିଆ ପିଲା । ଏବେ ଭୁବନେଶ୍ୱରରେ ଏଭଳି ଏକ ଠକ ଗ୍ୟାଙ୍ଗ କାମ କରୁଥିବା ଅଭିଯୋଗ ଆସିଛି । ପ୍ରାୟ ୬୯ ଲକ୍ଷ ଟଙ୍କା ଠକେଇର ଶୀକାର ହୋଇଛନ୍ତି ଆସାମ ସିଲଚର୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଆସୋସିଏଟ୍‌ ପ୍ରଫେସର ଡ. ସୁଜିତନାଥ ଚୌଧୁରୀ । ସେହିପରି ବିହାର ଅଶୋକ କୁମାର ସିଂହ ମଧ୍ୟ ୨୦ ଲକ୍ଷ ଟଙ୍କା ହରାଇଛନ୍ତି । ଏ ନେଇ  ପ୍ରଫେସର ସୁଜିତ ଚୌଧୁରୀ ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି । 

ଓଡ଼ିଶାରେ ଥିବା ପ୍ରତିଷ୍ଠିତ ଏସ୍‌ସିବି ମେଡ଼ିକାଲ କଲେଜ ଓ ଭୁବନେଶ୍ୱରରେ ଥିବା ନାମୀଦାମୀ କଲେଜରେ ନାମ ଲେଖାଇ ଦେବାକୁ ଏକ ସଂସ୍ଥା ଠକେଇ କରିଛି । ଆସାମର ଡ. ସୁଜିତନାଥ ଚୌଧୁରୀ ନିଜର ଝିଅ ସୁଜିତା ଚୌଧୁରୀର ଏମ୍‌ବିବିଏସ୍‌ ଆଡ଼ମିଶନ୍‌ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୬୯ ଲକ୍ଷ ଟଙ୍କା ଦେଇଥିଲେ । ତାଙ୍କୁ ବ୍ୟାଙ୍ଗଲୋର୍‌ର ସପ୍ତଗିରି ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ନିଆଯାଇଥିଲା । କିନ୍ତୁ ସେଠାରେ ଆଡ଼ମିଶନ ମିଳି ନ ଥିଲା । ଏହା ପରେ ସେ ଭୁବନେଶ୍ୱର ଆସିଥିଲେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ପ୍ର. ସୁଜିତ ଟଙ୍କା ଫେରାଇବା ପାଇଁ କହିଥିଲେ । ପ୍ରଥମେ ତାଙ୍କୁ ସଂପୃକ୍ତ ସଂସ୍ଥା ମାତ୍ର ୧ ଲକ୍ଷ ଟଙ୍କା ଦେଇଥିଲେ । ଏହା ପରେ ପୁଣି ୧୦ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ ଯାହାକି ବାଉନ୍ସ ହୋଇଯାଇଥିଲା । 

ସେହିପରି ବିହାର ଗୋପାଳଗଜ ଅଶୋକ କୁମାର ସିଂହ ନିଜ ଝିଅ ପ୍ରିୟା ସିଂହର ଏମ୍‌ବିବିଏସ୍‌ରେ ଆଡ଼ମିଶନ ପାଇଁ ତିନୋଟି କିସ୍ତିରେ ୨୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଆଡ଼ମିଶନ୍‌ ମିଳି ନ ଥିଲା । ଏ ନେଇ ଡ. ସୁଜିତନାଥ ଚୌଧୁରୀ ଓ ଅଶୋକ ସିଂହ ପ୍ର. କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । କେବଳ ଏତିକି ନୁହେଁ ଏଭଳି ଭାବେ ୮ରୁ ୯ ଜଣ ଲୋକ ଏହି ଠକେଇର ଶୀକାର ହୋଇଛନ୍ତି । ଭୁବନେଶ୍ୱର ଏକ ପ୍ରତିଷ୍ଠିତ ମେଡ଼ିକାଲ କଲେଜର ଜଣେ ମହିଳା ଡାକ୍ତର ଏହି ଗ୍ୟାଙ୍ଗରେ ଅଛନ୍ତି ବୋଲି ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଛି । ଏଥିରେ ସଂପୃକ୍ତି ଥିବା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଓଡ଼ିଶା ବାହାରେ ମଧ୍ୟ ଏହାର ନେଟ୍‌ୱାର୍କ ଥିବା ସନ୍ଦେହ କରାଯାଉଛି ।

  • Tags:

Subscribe

National International State Sports Entertainment