Home >
୧୬ ବର୍ଷ ପରେ ନ୍ୟାୟ, ସାମ୍ବାଦିକ ହତ୍ୟାକାଣ୍ଡରେ ରାମ ରହିମ ଦୋଷୀ ସାବ୍ୟସ୍ତ
Khabar Odisha:national--odisha-ram-rahim-journalist-chhatrapati-murder-case
ପଞ୍ଚକୂଳା,ଜାନୁଆରୀ୧୧(ଖବର ଓଡ଼ିଶା):

 ହରିୟାଣାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡରେ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ପଞ୍ଚକୂଳାର ବିଶେଷ ସିବିଆଇ କୋର୍ଟର ଜଜ ଜଗଦୀପ ସିଂହ ୧୬ ବର୍ଷର ପୁରୁଣା ଏହି ହତ୍ୟାକାଣ୍ଡ ମାମଲାରେ ରାମ ରହିମ ସମେତ ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ପରେ  ରାମ ରହିମ ଓ ବାକି ଦୋଷୀଙ୍କ ସଜା ଜାନୁଆରୀ ୧୭ରେ ଘୋଷଣା କରାଯିବ।

ଶୁଣାଣି ପୂର୍ବରୁ ପଞ୍ଚକୂଳାରେ ସିବିଆଇର ସ୍ଵତନ୍ତ୍ର ଅଦାଲତରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା।  ଯୌନ ଶୋଷଣ ମାମଲାରେ ରାମ ରହିମଙ୍କୁ ସଜା ପରେ  ଗତ ଥର ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାମ ରହିମଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ସମୟରେ ମିଡିଆକୁ ଅଦାଲତରୁ ବାହାରେ ରଖା ଯାଇଥିଲା। ସ୍ଵତନ୍ତ୍ର କୋର୍ଟ ରାମ ରହିମଙ୍କ ବ୍ୟତୀତ ଏହି ମାମଲାରେ ତିନି ଅନ୍ୟ ଆରୋପୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି।

ପଞ୍ଚକୂଳାରେ ସିବିଆଇର ସ୍ଵତନ୍ତ୍ର କୋର୍ଟର ସୁରକ୍ଷା ବ୍ୟବସ୍ଥା ବିଷୟରେ  ସୂଚନା ଦେଇ ଡିସିପି କମଲଦୀଫ ଗୋଏଲ କହିଛନ୍ତି ଯେ ବଡ଼ ସଂଖ୍ୟାରେ ପୋଲିସ ବଳଙ୍କୁ ମୁତୟନ କରାଯାଇଛି। କୋର୍ଟ ପରିସରରେ ୫୦୦ ପୋଲିସକର୍ମୀଙ୍କୁ ମୁତୟନ କରାଯାଇଛି। ଏଠାରେ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। 

କଣ ଏହି ସାମ୍ବାଦିକଙ୍କ ହତ୍ୟାକାଣ୍ଡ ମାମଲା ?

ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ପ୍ରାୟ ୧୬ ବର୍ଷ ପୁରୁଣା ମାମଲା, ଯେଉଁଥିରେ ଡେରା ପ୍ରମୁଖ ଗୁରମିତ ରାମ ରହିମ ଆରୋପି ଥିଲେ। ୨୦୦୨ରେ ସାମ୍ବାଦିକ ରାମଚନ୍ଦ୍ରଙ୍କ ଗୁଳି କରି  ହତ୍ୟା କରାଯାଇଥିଲା। ଛତ୍ରପତି ନିଜର ସମାଚାର ପତ୍ରରେ ଡେରା ସହ ଜଡିତ ଖବର ପ୍ରକାଶିତ କରୁଥିଲେ। ରାମଚନ୍ଦ୍ରଙ୍କ ହତ୍ୟା ପରେ ପରିଜନ ମାମଲା ରୁଜୁ କରିଥିଲେ। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ୨୦୦୭ରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଏଥିରେ ଡେରା ପ୍ରମୁଖ ଗୁରମିତ ରାମ ରହିମଙ୍କୁ ହତ୍ୟାର ଷଡ଼ଯନ୍ତ୍ର ରଚିବାର ଆରୋପି କରାଯାଇଥିଲା। 

ଗତ ଥର ରାମ ରହିମଙ୍କୁ ସଜା ଶୁଣାଣି ସମୟରେ ହୋଇଥିଲା ଦଙ୍ଗା

ସରକାରଙ୍କ ଆଶଙ୍କା ଥିଲା ଯେ ଯଦି ଗୁରମିତ ରାମ ରହିମଙ୍କୁ ପ୍ରତ୍ୟକ୍ଷ ଭାବେ କୋର୍ଟରେ ହାଜର କରାଯିବ ତେବେ  କାନୁନ ବ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ଥିଲା। ଗତ ବର୍ଷ ରାମ ରହିମଙ୍କୁ ସାଧ୍ଵୀ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ପରେ ପଞ୍ଚକୂଳା ସମେତ ଅନେକ ଜାଗାରେ ବ୍ୟାପକ ଭଙ୍ଗାରୁଜା, ପୋଡାଜଳା ଓ ଦଙ୍ଗା ହୋଇଥିଲା। ତେଣୁ ରାଜ୍ୟ ସରକାର ଏହି ଘଟଣାର ପୁନରାବୃତ୍ତି ହେବାକୁ ଚାହୁଁନଥିଲେ। ତେଣୁ ରହିମଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। 

Subscribe

National International State Sports Entertainment