Home >
ମାଳଦ୍ଵୀପ ସଂସଦକୁ କବଜା କଲେ ସେନା, ଜଣ ଜଣ କରି ସାଂସଦଙ୍କୁ ଘୋଷାଡ଼ି ବାହାର କଲେ
Khabar Odisha: maldives-mdp-abdulla-saeed-abdulla-yameen-un-mohamed-nasheed

 ନୂଆଦିଲ୍ଲୀ,ଫେବୃଆରୀ୧୪(ଖବର ଓଡ଼ିଶା): ମାଳଦ୍ଵୀପରେ ଜାରି ରାଜନୈତିକ ସଂକଟ ମଧ୍ୟରେ ବୁଧବାର  ସେନା ସଂସଦକୁ ମଧ୍ୟ କବଜା କରିଛନ୍ତି।  ସୈନ୍ୟକର୍ମୀ ସଂସଦରେ ଉପସ୍ଥିତ ସାଂସଦଙ୍କୁ ଜଣ ଜଣ କରି ଘୋଷାଡ଼ି ବାହାର କରିଛନ୍ତି।  ମାଳଦ୍ଵୀପିୟନ ଡେମୋକ୍ରାଟିକ ପାର୍ଟି(ଏମଡିପି) ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। 

ଏମଡିପିର ମହାସଚିବ ଅନସ ଅବଦୁଲ ସତାର ଲେଖିଛନ୍ତି ଯେ  ସୁରକ୍ଷା ବଳ ସାଂସଦମାନଙ୍କୁ ମଜଲିସ ପରିସରରୁ ବାହାରଙ୍କୁ ଫିଙ୍ଗି ଦେଇଛନ୍ତି। ମୁଖ୍ୟ ବିଚାରପତି ଅବଦୁଲ୍ଲା ସଇଦ ସତ୍ୟକୁ ସାମ୍ନାକୁ ଆଣୁଥିଲେ ଏବଂ ତାଙ୍କୁ ମଧ୍ୟ ତାଙ୍କର ଚାମ୍ବରରୁ  ଘୋଷାଡ଼ି ଘୋଷାଡ଼ି ସେନା ନେଇ ଯାଇଛନ୍ତି। 

ଏହା ପୂର୍ବରୁ ମଙ୍ଗଳବାର  ସୁରକ୍ଷାବଳ ସଂସଦକୁ ଚାରିଆଡୁ ଘେରି ରହିଥିଲେ। ମଙ୍ଗଳବାର ସେନା ସାଂସଦଙ୍କୁ ପଶିବାକୁ ଦେଇନଥିଲେ। ଏହି ରାଜନୈତିକ ସଂକଟର ଆରମ୍ଭରେ ମାଳଦ୍ଵୀପ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଏବଂ ନ୍ୟାୟପାଳିକା ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଥିଲା। ଯେଉଁଥିରେ ନ୍ୟାୟପାଳିକାକୁ ଆତ୍ମ ସମର୍ପଣ କରିବାକୁ ପଡ଼ିଥିଲା। ମାଳଦ୍ଵୀପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଗିରଫ କରାଯାଇଛି। 

ଶନିବାର ରାଷ୍ଟ୍ରପତି  ୟାମିନ ୟୁରୋପିୟନ ୟୁନିୟନ, ଜର୍ମାନୀ ଏବଂ ବ୍ରିଟେନର ପ୍ରତିନିଧିତ୍ଵ ସହ ଭେଟିବାକୁ ମନା କରି ଦେଇଥିଲେ। ମାଳଦ୍ଵୀପରେ ଗତ ସପ୍ତାହରେ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ସଂଯୁକ୍ତ ରାଷ୍ଟ୍ରର ହାଇ କମିଶନର ଜିଦ ରାଦ ଅଲ ହୁସୈନ ଏହି ଜରୁରୀକାଳୀନକୁ ଗଣତନ୍ତ୍ର ଉପରେ ଆକ୍ରମଣର ଆଖ୍ୟା ଦେଇଥିଲେ। 

ମାଳଦ୍ଵୀପର ରାଜଧାନୀ ମାଲେରେ ଏବେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ବିରୋଧୀ ଦଳଙ୍କୁ ଗୃହବନ୍ଦୀ କରାଯାଇଛି। ରାଷ୍ଟ୍ରପତି ୟାମିନ ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ମନା କରିବା ପରେ ଏହି ଦେଶରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି। 

ସୁପ୍ରିମକୋର୍ଟ ୯ ରାଜନୈତିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ ଏବଂ କହିଥିଲେ ଯେ ରାଜନୈତିକ କଏଦୀଙ୍କ ବିରୋଧରେ କେସ ଷଡଯନ୍ତ୍ର ପ୍ରେରିତ।  କୋର୍ଟ ପୂର୍ବତନ ରାଷ୍ଟ୍ରପତି  ମୋହମ୍ମଦ ନଶିଦ, ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଅଦୀବ ସମେତ ୧୨ ସାଂସଦଙ୍କ ସଦସ୍ୟ ପଦକୁ ଜାରି ରଖିବାକୁ ଆଦେଶ ଦେଇଥିଲେ। 

ରାଷ୍ଟ୍ରପତି ୟାମିନ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ମାନିବାକୁ ମନା କରି ଦେଇଥିଲେ ଏବଂ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ଗିରଫ କରିଥିଲେ।  ଏହା ପରେ ସୁପ୍ରିମକୋର୍ଟ ଦେଇଥିବା ନିଜର ଆଦେଶକୁ ଫେରାଇ ନେଇଥିଲେ। 

Subscribe

National International State Sports Entertainment