ନୂଆଦିଲ୍ଲୀ,ଡିସେମ୍ବର୦୬(ଖବର ଓଡ଼ିଶା):
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ୫୦ ହଜାର କିଲୋମିଟର ଲମ୍ବା ସଡ଼କର ପ୍ରଶସ୍ତିକରଣ କରାଯିବ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା(ପିଏମଜିଏସଓ୍ଵାଇ) ଆଧାରରେ ଦେଶର ସମସ୍ତ ଛୋଟ ବଡ଼ ଗାଁକୁ ୨୦୨୦ ସୁଦ୍ଧା ପକ୍କା ସଡ଼କ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏଥିପାଇଁ ଅର୍ଥ ରାଶି ଆବଣ୍ଟନକୁ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ସଡ଼କର ଉଚ୍ଚତାକରଣ ୨୦୧୯ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି।
ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଗ୍ରାମୀଣ ସଡ଼କ ସହିତ ପୁରୁଣା ସଡ଼କକୁ ଉଚ୍ଚା କରାଯିବ। ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ଦେଶର ୧୩ଟି ରାଜ୍ୟରେ ମୋଟ୍ ୩୨,୧୦୦ କିଲୋମିଟର ଲମ୍ବାର ସଡ଼କକୁ ଉଚ୍ଚ କରାଯିବାକୁ ମଞ୍ଜୁରୀ ମିଳିଛି। ଏହି ରାଜ୍ୟଗୁଡ଼ିକ ପକ୍ଷରୁ ପ୍ରକଳ୍ପର ଡ୍ରାଫ୍ଟ ଦିଆଯାଇଛି। ଏଥିରେ ୧୨ ହଜାର କିମି ଲମ୍ବା ସଡ଼କର ଉଚ୍ଚତା ବୃଦ୍ଧି କରାଯିବ ବୋଲି ଉଲ୍ଲେଖ ରହିଛି।
ମନ୍ତ୍ରଣାଳୟ ତଥ୍ୟ ମୁତାବକ ପକ୍କା ସଡ଼କ ସହ ସଂଯୋଗ ହେବାକୁ ବାକି ରହିଥିବା ୩୮ ହଜାରରୁ ଅଧିକ ଗାଁକୁ ଯୋଡିବାକୁ ଡ୍ରାଫ୍ଟରେ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ମୋଟ୍ ୮୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ କେନ୍ଦ୍ର ସରକାର ୫୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ। ବାକି ୩୦ ହଜାର କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ।
ପିଏମଜିଏସଓ୍ଵାଇର ଦ୍ଵିତୀୟ ପର୍ଯ୍ୟାୟରେ ନକ୍ସଲ ପ୍ରଭାବିତ କ୍ଷେତ୍ରରେ ମାତ୍ର ଏକ ଶହ ଜନସଂଖ୍ୟା ବିଶିଷ୍ଟ ଗାଁକୁ ମଧ୍ୟ ପକ୍କା ସଡ଼କରେ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ପିଏମଜିଏସଓ୍ଵାଇର ସଡ଼କ ପାଇଁ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ ଅନୁପାତରେ ମଧ୍ୟ ସଂଶୋଧନ କରିଛି।