Home >
ତେଜିଲା ଚାଷୀ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଚାପ, କଂଗ୍ରେସର ଆନ୍ଦୋଳନ ଆରମ୍ଭ
Khabar Odisha:congress-protest-for-farmers-problem
ଭୁବନେଶ୍ବର, ୧୨ ଜୁଲାଇ (ଖବର ଓଡିଶା)-

କୃଷିଋଣ ଛାଡ କରିବା ଚାପ ଏବେ ସରକାରଙ୍କ ଉପରେ ପଡିବାରେ ଲାଗିଛି । କୃଷିଋଣଛାଡ, ଏମଏସପି ବୃଦ୍ଧି, ବୀମା ଟଙ୍କା ପ୍ରଦାନ ଆଦି ଦାବି ନେଇ କଂଗ୍ରେସ ଆରମ୍ଭ କରିଦେଇଛି ଆନ୍ଦୋଳନ । ରାଜଧାନୀରୁ ପିସିସି ପକ୍ଷରୁ ଆଜି ଧାରଣା ଦିଆଯାଇଥିବା ବେଳେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା । ଅନ୍ୟପଟେ କୃଷିଋଣ ଛାଡ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବୋନସ ତୁରନ୍ତ ପ୍ରଦାନ କରିବା ଦାବି ନେଇ ଗାଁରୁ ଆନ୍ଦୋଳନ କରିବା ପାଇଁ ବିଜେପିର ସଜବାଜ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପଡୁଛି ଚାପ  । ପଡୋଶୀ ରାଜ୍ୟ ମାନେ କୃଷିଋଣ ଛାଡ କରିଥିବା ବେଳେ ରାଜ୍ୟ କେବେ କୃଷିଋଣ ଛାଡ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର  । ସେପଟେ ବିଭିନ୍ନ ଚାଷୀ ସଙ୍ଗଠନ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଦେଲେଣୀ ।

ଆଜି କଂଗ୍ରେସ ପକ୍ଷରୁ ହୋଇଥିବା ଧାରଣା ଉପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ ସରକାର । ଏଯାଏଁ ରାଜ୍ୟରେ ଚାଷୀଙ୍କୁ ତାଙ୍କର ଅଧିକାର ମିଳିଲାନି । ଚାଷୀ ତାତିଲେ ସରକାର ଗଡିବ  । ବର୍ତମାନ ରାଜ୍ୟରେ ଚାଷୀମାନେ ତାତିଛନ୍ତି ଆଉ ଏ ସରକାରଙ୍କୁ ଗଡାଇ ଦେବେ । ସରକାର ଚାଷୀମାନଙ୍କୁ କେବେ ପେନସନ ଦେବେ ଘୋଷଣା କରିବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ  । ଆଜି ରାଜଧାନୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଗକୁ ଗାଁ ଗଣ୍ଡାକୁ ଯିବ ବୋଲି କହିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ରାଜ୍ୟର ୧ କୋଟି ଘରେ ପହଁଞ୍ଚିବ  । ମୋଦି ସରକାରଙ୍କ ଚାଷୀଙ୍କ ପାଇଁ ହୋଇଥିବା ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କେବେ କୃଷିଋଣ ଛାଡ ହେବ ଓ ବୋନସ ମିଳିବ ଏନେଇ ଚାଷୀଙ୍କୁ ଜାଗରଣ କରିବ ।

ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ , କର୍ଣ୍ଣାଟକ ପରି ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟ କୃଷିଋଣ ଛାଡ କରିଛନ୍ତି  । ସେପଟେ ଛତିଶଗଡ ସରକାର ଧାନ କୁଇଣ୍ଟାଲ ପ୍ରତି ୩୦୦ ଟଙ୍କାର ବୋନସ ଦେଇଛି । ଏପଟେ ମୁଖ୍ୟମନ୍ତ୍ରୀ ନିଜେ ୧୦୦ ଟଙ୍କାର ବୋନସ ଦିଆଯିବାର ପ୍ରତିଶୃତି ଦେଇଥିବା ବେଳେ ଏବେ ସରକାର ପାଇଁ ଆହୁରି ଅଡୁଆ ବଢୁଛି ବୋଲି ରାଜନୈତିକ ପର୍ୟ୍ୟବେକ୍ଷକଙ୍କ ମହଲରେ ଆଲୋଚନା ହେଉଛି  ।

  • Tags:

Subscribe

National International State Sports Entertainment