Home >
୧୨ ଯାଏଁ ଜାରି ରହିବ ଓକିଲ ଆନ୍ଦୋଳନ, ଡିଜିଙ୍କ ସହ ଆଲୋଚନା ପାଇଁ ରାଜି
Khabar Odisha:advocate-protest-till-12-nhovember
କଟକ, ନଭେମ୍ବର ୦୯(ଖବର ଓଡିଶା):

ଆସନ୍ତା ସୋମବାର ଯାଏଁ ଜାରି ରହିବ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୨ତାରିଖରେ ସାଧାରଣ ପରିଷଦ ବୈଠକ ପରେ ହିଁ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ । ଏନେଇ ଆଜି ହାଇକୋର୍ଟଙ୍କ ରାୟ ପରେ ବସିଥିବା ବୈଠକରେ ସୂଚନା ଦେଇଛନ୍ତି ହାଇକୋର୍ଟ ଓକିଲ ସଙ୍ଘର ସଭାପତି ଶ୍ରୀକାନ୍ତ ନାୟକ । 

ସେ କହିଛନ୍ତି ଯେ, ପୋଲିସ ଡିଜି ଆଲୋଚନା ପାଇଁ ଡାକିଛନ୍ତି । ଯଦି ନିରପେକ୍ଷ ସ୍ଥାନରେ ଆଲୋଚନା ହୁଏ ତେବେ ସଙ୍ଘ ଏଥିରେ ଭାଗ ନେବ । ଏହା ସହ ସରକାର ଏ ଦିଗରେ ହସ୍ତକ୍ଷେପ କରୁ ନଥିବା ସେ ଅଭିଯୋଗ କରିଛନ୍ତି । 

ସୂଚନା ମୁତାବକ, ଆଜି ହାଇକୋର୍ଟରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ମାମଲାର ଶୁଣାଣି ହୋଇଥିଲା। ପୂର୍ବରୁ ଉଚ୍ଚ ନ୍ୟାୟାଳୟ ନଭେମ୍ବର ୯ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଏହି ମାମଲାର ତଦନ୍ତ ସାରିବାକୁ ତଦନ୍ତକାରୀ ଟିମକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜିର ଶୁଣାଣି ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ କୋର୍ଟ ଏହି ଶୁଣାଣିକୁ ଆସନ୍ତା ସୋମବାର ଯାଏଁ ଘୁଂଚାଇ ଦେଇଛନ୍ତି । କ୍ରାଇମବ୍ରାଂଚ ଆଇଜି ତଦନ୍ତ ସାରିବା ପାଇଁ କୋର୍ଟଙ୍କୁ ଆଉ ୬ ସପ୍ତାହର ମହଲତ ମାଗିଥିଲେ । ଏତେ ସମୟ ଦେବା ପାଇଁ କୋର୍ଟ୍ ସିଧାସଳଖ ଭାବେ ମନା କରିଥିଲେ । ଏପରି କି ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ଉଠିବା ନେଇ ମଧ୍ୟ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।  

ସୂଚନାଯୋଗ୍ୟ କି, ହାଇକୋର୍ଟ ଘଟଣାର ତଦନ୍ତ କରି ତଦନ୍ତକାରୀ ଟିମ୍ ତଥା କ୍ରାଇମବ୍ରାଞ୍ଜ ଆଇଜି ଅରୁଣ ବ୍ରୋଥାଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। । ହାଇକୋର୍ଟର ଅବସ୍ଥାପିତ ବିଚାରପତି ଚିତ୍ତରଞ୍ଜନ ଦାସ ଦୈନନ୍ଦିନ ଭିତ୍ତିରେ ଏହି ମାମଲାର ଅନୁଧ୍ୟାନ କରିବା ନେଇ ପ୍ରକାଶ କରିଥିଲେ। ତେବେ ସେ ରିପୋର୍ଟରେ କାହାକୁ ଦାୟୀ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ରହିଥିଲା। 

  • Tags:

Subscribe

National International State Sports Entertainment