Home >
ଜୈବ ଇନ୍ଧନ ବ୍ୟବହାର ଫଳରେ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂଆ ଗତି ମିଳିପାରିବ: ପ୍ରଧାନମନ୍ତ୍ରୀ
Khabar Odisha:WorldBiofuelDay-Indian-PM-Narendra-Modi-Dharmendra-Pradhan
ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦ ଅଗଷ୍ଟ (ଖବର ଓଡ଼ିଶା):

 ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଚାଷୀ, ବୈଜ୍ଞାନିକ, ଉଦ୍ୟମୀ, ସରକାରୀ ଅଧିକାରୀ ଓ ସାଂସଦ ମାନଙ୍କୁ ଉଦବୋଧନ ଦେବା ସହ ନ୍ୟାସନାଲ ପଲିସି ଫର ବାୟୋ ଫୁଏଲ-୨୦୧୮ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଏହା ବ୍ୟତୀତ ସେ ପ୍ରୋ- ଆକ୍ଟିଭ ଏଣ୍ଡ ରେସ୍ପୋନସିଭ ଫେସିଲିଟେସନ ବାଇ ଇଂଟରାକ୍ଟିଭ ଏଣ୍ଡ ଭର୍ଚ୍ୟୁଅସ ଏନଭାୟର୍ନମେଂଟାଲ ସିଂଗଲ ବିଣ୍ଡୋ ହବ( ପରିବେଶ)ର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜୈବ ଇନ୍ଧନ ବ୍ୟବହାର ଫଳରେ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂଆ ଗତି ମିଳି ପାରିବ । କୃଷି ଉତ୍ପାଦରୁ ନିର୍ମିତ ଜୈବ ଇନ୍ଧନ ଫଳରେ ଗାଁ ଓ ସହର ଉଭୟ ସ୍ଥାନରେ ରହୁଥିବା ଲୋକମାନଙ୍କର ଜୀବନରେ ବଡ ପରିବର୍ତନ ଅଣାଯାଇ ପାରିବ ବୋଲି ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଜୈବ ଇନ୍ଧନରୁ ଇଥାନୋଲ ନିର୍ମାଣ ପାଇଁ ପ୍ରୟାସ ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଆରମ୍ଭ ହୋଇଥିଲା ବା ଇଥାନୋଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମର ରୂପରେଖା ୨୦୧୪ ମସିହା ପରେ ପ୍ରସ୍ତୁତ କରାଯାଇଥିବା ଶ୍ରୀ ମୋଦି କହିଛନ୍ତି । ଏହା ଦ୍ୱାରା କେବଳ ଯେ ଚାଷୀ ମାନଙ୍କୁ ଲାଭ ହୋଇ ନାହିଁ ବରଂ ଗତ ବର୍ଷ ୪ ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା ସଂଚୟ ହୋଇ ପାରିଛି । ଏହି ସଂଚୟକୁ ଆଗାମୀ ଚାରି ବର୍ଷ ମଧ୍ୟରେ ୧୨ ହଜାର କୋଟି ଟଙ୍କାକୁ ପହଂଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ।

ବାୟୋମାସକୁ ଜୈବ ଇନ୍ଧନରେ ପରିବର୍ତିତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପୁଳ ଭାବେ ପୁଂଜିନିବେଶ କରାଯାଉଛି । ଦେଶରେ ୧୨ଟି ଆଧୁନିକ ରିଫାଇନାରୀ ନିର୍ମାଣର ଯୋଜନା ରହିଛି । ଏଥିରେ ବିପୁଳ ପରିମାଣରେ ରୋଜଗାର ସୃଷ୍ଟି ହେବ । ଜନଧନ, ବନଧନ ଓ ଗୋବରଧନ ଭଳି ଯୋଜନା ଗରୀବ ଚାଷୀ ଓ ଜନଜାତି ବର୍ଗର ଲୋକ ମାନଙ୍କର ଜୀବନରେ ବ୍ୟାପକ ପରିବର୍ତନ ପାଇଁ ସହଯୋଗ ମିଳୁଛି । ଜୈବ ଇନ୍ଧନର ବଡ ପରିବର୍ତନ ପାଇଁ କ୍ଷମତା ରହିଛି ତେବେ ଏହା ଛାତ୍ର, ଶିକ୍ଷକ, ବୈଜ୍ଞାନିକ ଓ ସାଧାରଣ ଲୋକଙ୍କ ଭାଗିଦାରୀ ଦ୍ୱାରା ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୨୦୧୫ ମସିହାରୁ ଆଜିର ଦିନକୁ ବିଶ୍ୱ ଜୈବ ଇନ୍ଧନ ଦିବସ ଭାବେ ପାଳନ କରାଯାଉଛି । ପାରମ୍ପାରିକ ଜୀବାଶ୍ମ ଆଧାରିତ ଇନ୍ଧନର ବିକଳ୍ପ ଭାବେ ଜୈବ ଇନ୍ଧନକୁ ବ୍ୟବହାର କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଜୈବ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ତାଙ୍କର ଅଭିଭାଷଣରେ ଉଲ୍ଲେଖ କରିଥିଲେ । ପରିବେଶ ସୁରକ୍ଷା ସହିତ ଭାରତର ଚାଷୀ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବାର ପ୍ରତିବଦ୍ଧତାକୁ ଜୈବ ଇନ୍ଧନ ପାଳନ ଦିବସ ଦର୍ଶାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ଲେଂଡିଂ କାର୍ଯ୍ୟକ୍ରମ ପାଇଁ ଇଥାନୋଲ ଯୋଗାଣରେ ସୁଧାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏହା ଫଳରେ ୨୦୧୩-୧୪ରେ ଏହାର ଯୋଗାଣ ୩୮ କୋଟି ଲିଟର ଥିବା ବେଳେ ଏହା ଚଳିତ ବର୍ଷ ୧୪୧ କୋଟି ଲିଟରକୁ ପହଂଚି ପାରିଛି । ସେ କହିଛନ୍ତି ଯେ ଜୈବ ଇନ୍ଧନ -୨୦୧୮ ନୂଆ ନ୍ୟାସନାଲ ପଲିସୀ ଅଧିସୂଚିତ କରାଯାଇଛି ଯେଉଁଥିରେ ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନୋଲର ବ୍ଲେଣ୍ଡିଂକୁ ୨୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ, ରାଜପଥ, ଜାହାଜ ଚଳାଚଳ, ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ, ଉପଭୋକ୍ତା ମାମଲା ମନ୍ତ୍ରୀ ରାମବିଳାସ ପାସବାନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂହ, ବିଜ୍ଞାନ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଧନ ପ୍ରମୁଖ ଉପସ୍ଥିତ ଥିଲେ ।  

  • Tags:

Subscribe

National International State Sports Entertainment