Home >
ଦୁର୍ଘଟଣାର ଦିନ: ରାଜ୍ୟରେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା, ୧୫ ମୃତ, ୨୯ ଆହତ
Khabar Odisha:State-odisha-today-many-accident-in-odisha-15-died-29-injured
ଭୁବନେଶ୍ଵର, ଫେବୃଆରୀ ୧୧(ଖବର ଓଡ଼ିଶା):

ସୋମବାର ଦିନଟି ଦୁର୍ଘଟଣାର ଦିନ ପାଲଟିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୨୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏହି ଦୁର୍ଘଟଣାର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ମାଲକାନଗିରି ଜିଲ୍ଲାର ମାଥିଲିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ଏହି ପରି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଟିସିଆର ଛକରେ ଏକ ସ୍କୁଟିକୁ ଟ୍ରଲରଟି ଧକ୍କା ଦେଇଥିଲା ।  ଫଳରେ  ଘଟଣାସ୍ଥଳରେ ଦୁଇ ଯୁବତୀ ମୃତ୍ୟୁବରଣ କରିଛନ୍ତି । ନୂଆ ସ୍କୁଟିରେ ଯିବା ବେଳେ ରାସ୍ତାରେ ଟ୍ରଲରଟି ସ୍କୁଟି ଉପରେ ମାଡ଼ିଯାଇଥିଲା । ତେବେ ମୃତ ଯୁବତୀ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ଘଟାଇବା ପରେ ଟ୍ରଲର ସହ ଡ଼୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । 

ସେହିଭଳି ବାଲେଶ୍ୱରରେ  ସିମୁଳିଆ ଦେଇ ଯାଇଥିବା ଜାତୀୟ ରାଜପଥରେ ଆଜି ତିନୋଟି ଟ୍ରକ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ମଝିରେ ଥିବା ଟ୍ରକର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଜଣେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି  ।

ବିବାହ ପରେ କନ୍ୟାଯାତ୍ରୀଙ୍କୁ ନେଇ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ନାଲାଝରକୁ ଯାଉଥିବା ଭ୍ୟାନଟି ଭାରସାମ୍ୟ ହରାଇବାରୁ କିରିମିରା ନିକଟରେ ଭ୍ୟାନଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଟିଟଲାଗଡ଼ ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି ।

ମୟୂରଭଞ୍ଜ ଜିଲ୍ଲାର ଉଦଳା ପରୁଣା  ପାଣି ଛକରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହିଭଳି ବାଲୁଗାଁ ସୁବୁଦ୍ଧିପାଟଣା ଛକରେ କାର-ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ବୌଦ୍ଧର ମନମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଟାଟାସୁମୋ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲାର ପାଲଲହଡା ଖମାରରେ କାର ଧକ୍କାରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି। 

ପଦ୍ମପୁରର ପାଇକମାଳ ମଲଡାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମାଲକାନଗିରିର ଏମଭି-୩୮ ଠାରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ପରି କେନ୍ଦୁଝରର ବାଂଶପାଣି ଷ୍ଟେସନ ନିକଟରେ ଟ୍ରେନରେ କଟି ଜଣଙ୍କର ମୃତ୍ୟ ଘଟିଛି।

  • Tags:

Subscribe

National International State Sports Entertainment