ନୂଆଦିଲ୍ଲୀ, ଫେବୃଆରୀ ୧୨ (ଖବର ଓଡ଼ିଶା): ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ନିର୍ବାଚନ ପରେ ପୁଣି ଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ଏବଂ ନୀତିଶ କୁମାର ଏନଡିଏରେ ସବୁଠୁ ବଡ଼ ନେତା ରୂପେ ଆର୍ବିଭାବ ହେବ। ନିକଟରେ କିଶୋର ମହାରାଷ୍ଟ୍ରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ସାକ୍ଷାତ କରିଥିଲେ।
କିଶୋର ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୋଦୀ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ସେ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ। ବିଜେପି ଓ ଶିବସେନା ପରେ ଜେଡିୟୁ ଏନଡିଏରେ ତୃତୀୟ ସବୁଠୁ ବଡ଼ ପାର୍ଟି ହେବ। ପ୍ରଶାନ୍ତ କିଶୋର କହିଛନ୍ତି ଯେ, ତାଙ୍କ ପାର୍ଟି ସର୍ବଦା ମହାରାଷ୍ଟ୍ରରେ ବିହାରୀଙ୍କ ବିରୋଧରେ ଥିବା ଘୃଣାକୁ ନେଇ ପ୍ରଶ୍ନ ଉଠାଇଛି। ମହାରାଷ୍ଟ୍ରରେ ରହୁଥିବା ବିହାରୀଙ୍କ ସୁରକ୍ଷା ପାଇଁ ଠାକେରଙ୍କ ସହ ଆଲୋଚନା ହୋଇଥିବା କିଶୋର କହିଛନ୍ତି।
ମୁମ୍ବାଇରେ ନିଜର ଯାତ୍ରାରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ ସମୟରେ ଲୋକସଭା ନିର୍ବାଚନ ପରେ ସମ୍ଭାବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏନଡିଏରେ ସ୍ଵୀକାରୋକ୍ତି ନମିଳିବା ସ୍ଥିତିରେ ନୀତିଶ କୁମାରଙ୍କ ନାମରେ ସହମତି ହେବା ଚର୍ଚ୍ଚା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି ଯେ ଏନଡିଏର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀ ଅଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରହିବେ। ଏମିତିରେ ଆଉ କୌଣସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପ୍ରଶ୍ନ ହିଁ ଉଠୁନାହିଁ।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏନଡିଏ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବେ ପ୍ରଶ୍ନ ଉପରେ କିଶୋର କହିଛନ୍ତି ଯେ ଦୁଇ ତିନି ମାସରେ କିମ୍ବା ଆଗାମୀ ଲୋକସଭା ନିର୍ବାଚନ ଦୃଷ୍ଟିରୁ ତାଙ୍କୁ ମୁଁ ଚ୍ୟାଲେଞ୍ଜ ରୂପେ ଦେଖୁନାହିଁ। ତାଙ୍କ ପାଖରେ କ୍ଷମତା ନାହିଁ ବୋଲି ମୁଁ କହୁନାହିଁ, ମାତ୍ର କୌଣସି ବ୍ୟକ୍ତିଙ୍କ ପାଇଁ ତୁରନ୍ତ ରାଜନୀତିରେ ପାଦ ଦେଇ ଦୁଇ ତିନି ମାସରେ ପରିଣାମ ଉପରେ ବହୁତ ପ୍ରଭାବ ପକାଇବା ସମ୍ଭବ ନୁହେଁ।
ଯଦି ଲମ୍ବା ସମୟ ଦୃଷ୍ଟିରୁ ଦେଖାଯାଏ ତେବେ ସେ ଜଣେ ବଡ଼ ଚେହେରା ଓ ନାମ ବି। ଯଦି କାମ କରିବେ ଓ ଜନତା ତାଙ୍କ କାମକୁ ପସନ୍ଦ କରନ୍ତି ତେବେ ଏହାର ପ୍ରଭାବ ଜାତୀୟ ରାଜନୀତିରେ ଦେଖିବାକୁ ମିଳିବ। ପ୍ରିୟଙ୍କା ରାଜନୀତିକୁ ଆସିବାରୁ କଂଗ୍ରେସକୁ ଫାଇଦା ହେବ କି ନାହିଁ ? ଏହାର ଉତ୍ତରରେ କିଶୋର କହିଛନ୍ତି ଯେ, ଏହା ଆଗାମୀ ଲୋକସଭା ନିର୍ବାଚନରେ ଜଣା ପଡ଼ିବ। ଏହି ବିଷୟରେ ଏବେ କୌଣସି ଅନୁମାନ ଲଗାଇବ ଉଚିତ୍ ନୁହେଁ।