Home >
ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ତାଲିମ ଦେବ ନିମାହନସ୍
Khabar Odisha:MOU-bettween-Nimahons-Bangalore-and-IIMS-New-Delhi
ଭୁବନେଶ୍ୱର, ୧୦ ଅଗଷ୍ଟ(ଖବର ଓଡ଼ିଶା):

 ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ଓ ନିଶାମୁକ୍ତି କେନ୍ଦ୍ର ବିକାଶ ନିମନ୍ତେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଓ ନିମାହନସ୍ ବେଙ୍ଗାଲୁରୁ ଏବଂ ଏ.ଆଇ.ଆଇ.ଏମ୍.ଏସ୍ ନୂଆଦିଲ୍ଲୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । 

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମାନସିକ ରୋଗୀଙ୍କୁ ପ୍ରାଥମିକ ଓ ଆପାତକାଳୀନ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ନିମାହନସ୍ ବେଙ୍ଗାଲୁରୁ ଡାକ୍ତର ଓ ମାନସିକ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଟେଲି-ମେଡିସିନ ଓ ଟେଲି-ମେଂଟରିଂ ମାଧ୍ୟମରେ ତାଲିମ୍ ପ୍ରଦାନ କରିବ । ଏ ନେଇ ମଡେଲ ହବ୍ ଆଣ୍ଡ ସ୍ପୋକ ବ୍ୟବସ୍ଥା ଅନୁସରଣ କରାଯିବ । ନିମାହନସ୍ ଏକ ବର୍ଷ ପାଇଁ ମଡେଲ ହବ୍ ଭାବେ ଏବଂ ଜିଲ୍ଲା ଗୁଡିକ ସ୍ପୋକ ଭାବେ କାର୍ଯ୍ୟକରିବେ । କଟକ ସ୍ଥିତ ମାନସିକ ସ୍ୱାସ୍ଥ୍ୟ ଅନୁଷ୍ଠାନ, ଯାହାକି ଏକ ପାରଦର୍ଶିତା କେନ୍ଦ୍ର, ତାକୁ ଏକ ଆଞ୍ଚଳିକ ହବରେ ପରିଣତ କରାଯିବ । ଫଳରେ ସମାଜର ତୃଣମୂଳ ସ୍ତରରେ ମାନସିକ ରୋଗୀଙ୍କୁ ନିମାହନସର ବିଶେଷଜ୍ଞ ଚିକିତ୍ସାସେବା ଯୋଗାଇ ଦିଆଯାଇପାରିବ । ନିମାହନସ୍ ଦ୍ୱାରା ପ୍ରଚଳିତ ଭରଚୁଆଲ୍ ନଲେଜ ନେଟୱାର୍କ ( ଇକୋ ) ଜାତୀୟ ଓ କଟକ ସ୍ଥିତ ମାନସିକ ସ୍ୱାସ୍ଥ୍ୟ ଅନୁଷ୍ଠାନ ଆଂଚଳିକ ହବ୍ ଭାବେ କାର୍ଯ୍ୟକରିବ । 

ସେହିପରି ଏ.ଆଇ.ଆଇ.ଏମ୍.ଏସର ଜାତୀୟ ଡ୍ରଗ୍ସ ନିର୍ଭରଶୀଳତା ଚିକିତ୍ସା କେନ୍ଦ୍ର ( ଏନ୍.ଡି.ଡି.ଟି.ସି ) ସହଯୋଗରେ କଟକ ଏସ୍.ସି.ବି , ଭିମ୍ସାର ବୁର୍ଲ୍ଲା , ଏମ୍.କେ.ସି.ଜି ବ୍ରହ୍ମପୁର , କ୍ୟାପିଟାଲ ହସପିଟାଲ ଭୁବନେଶ୍ୱର, ଆର୍.ଜି.ଏଚ୍ ରାଉରକେଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୋଳ, ପୁରୀ, ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲାଯାଇଥିବା ୯ ଗୋଟି ନିଶାମୁକ୍ତି କେନ୍ଦ୍ରର ବିକାଶ କରାଯିବ । ଏହି କେନ୍ଦ୍ରଗୁଡିକରେ ଡି.ଏ.ସି ତରଫରୁ ନିର୍ଦ୍ଧିଷ୍ଟ ଦିନରେ ରୋଗୀ ଚିକିତ୍ସା ଓ ପରିଚାଳନା ପାଇଁ ଟେଲି-ମେଡିସିନ ମାଧ୍ୟମରେ ଡାକ୍ତର ଓ ସଂପୃକ୍ତ କର୍ମଚାରୀମାନଙ୍କୁ ତାଲିମ୍ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବା ସହ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯିବ । 

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଓ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ନିମାହନସର ମାନସିକ ରୋଗ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସନ୍ତୋଷ ଚର୍ତୁବେଦୀ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବି.କେ.ବ୍ରହ୍ମା ରାଜିନାମାରେ ସ୍ୱାକ୍ଷର କରିଥିଲେ । ସେହିଭଳି ନୂଆଦିଲ୍ଲୀସ୍ଥିତ ଏମ୍ସ୍ ସହିତ ହୋଇଥିବା ରାଜିନାମାରେ ଏମ୍ମର ମାନସିକ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ରାକେଶ ଚଢା ଓ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମା ସ୍ୱାକ୍ଷର କରିଥିଲେ । 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ୨୦୦୩-୦୪ ମସିହାରୁ ରାଜ୍ୟରେ ଜାତୀୟ ମାନସିକ ରୋଗ ଚିକିତ୍ସା ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ନଦେବାରୁ ତାହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହୋଇପାରିନଥିଲା । ବର୍ତମାନ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଏହି ଯୋଜନାକୁ ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରିବେ । ଏସସିବି ମେଡିକାଲରେ ଥିବା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ଥିକ ସହୟତା ଯୋଗାଇଦେବା ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଉଛି ।  ଜାତୀୟ ସ୍ତରର ଦୁଇ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ସହିତ ଆଜିର ଏହି ରାଜିନାମା ଯୋଗୁଁ ରାଜ୍ୟରେ ମାସନିକ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଘଟିବ । ବିଶେଷକରି ଗାଁ ଗହଳର ଥିବା ମାନସିକ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସାସେବା ମିଳିପାରିବ । ନିରାମୟ ଯୋଜନାରେ ମାନସିକ ରୋଗୀମାନଙ୍କ ପାଇଁ ଔଷଧ ଉବଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି । 

  • Tags:

Subscribe

National International State Sports Entertainment