Home >
କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବି: ପିଏମଜିରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି
Khabar Odisha:Kudumi-sena
ଭୁବନେଶ୍ୱର, ୦୭ ଡିସେମ୍ବର (ଖବର ଓଡିଶା)

ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି କୁଡ଼ୁମୀ ସେନା ପକ୍ଷରୁ ଲୋୟର ପିଏମଜିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୋଲିସ ଓ କୁଡ଼ୁମୀ ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କୁଡୁମୀ ସେନାର ସଭାପତିଙ୍କୁ ପୋଲିସ ଜୋର ଜବରଦସ୍ତ ନେଇଯାଉଥିବା ବେଳ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।     

ସୂଚନାଯୋଗ୍ୟ, ଶୁକ୍ରବାର କୁଡୁମୀ ସେନାକୁ ପୁନଃ ଅନୁସୂଚିତ ଜାତିରେ ସାମିଲ କରିବା ପାଇଁ ଆଜି ରାଜଧାନୀରେ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୧୯୫୦ ମସିହା ପର୍ଯ୍ୟନ୍ତ ତାଙ୍କୁ ଆଦିବାସୀ ମାନ୍ୟତା ମିଳିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମାନ୍ୟତା ସେମାନଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା। ଆଦିବାସୀ ମାନ୍ୟତା ଦିଆଗଲେ ସେମାନେ ଅନେକ ସୁବିଧା ପାଇପାରିବେ। ପ୍ରତିବାଦରେ ସେମାନେ ଆଜି ସ୍ଥାନୀୟ ଲୋୟର ପିଏମଜି ଠାରେ ଆନ୍ଦୋଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାର ଯୋଜନା ରହିଥିବା ବେଳେ ପୋଲିସ ତାଙ୍କୁ ଅନୁମତି ଦେଇନଥିଲା । ତେଣୁ କୁଡ଼ୁମୀ ସେନାର ସଦସ୍ୟମାନେ ବାଧ୍ୟ ହୋଇ ପିଏମଜିରେ ଆନ୍ଦୋଳନ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ। ଆନ୍ଦୋଳନକୁ ବନ୍ଦ କରାଇବାକୁ ପୋଲିସ କୁଡୁମୀ ସେନାର ସଭାପତିଙ୍କୁ ପୋଲିସ ଗାଡିରେ ନେଇ ଯାଉଥିଲା। ଏହି ସମୟରେ ଏହାକୁ ବିରୋଧ କରି ବ୍ୟାରିକେଡ଼୍ ଭାଙ୍ଗି ବିକ୍ଷୋଭକାରୀମାନେ ପୋଲିସ ପାଖରୁ ତାଙ୍କ ମୁଖ୍ୟଙ୍କୁ ଛଡ଼ାଇ ନେଇଥିଲେ। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି।  

ଅନ୍ୟପକ୍ଷେ ଦାବି ପୂରଣ ନକରାଗଲେ ଆଗକୁ ଆନ୍ଦୋଳନ ତାବ୍ର ହେବ। କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ ନ କଲେ କୁଡ଼ୁମୀ ସେନା ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।  ଏହାସହ ୨୦୧୯ ସାଧାରଣ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି ସେନାର ସଭାପତି କହିଛନ୍ତି।  

Subscribe

National International State Sports Entertainment