Home >
୧୨ ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Khabar Odisha:CM-gives-trophy-to-12-Scientist
ଭୁବନେଶ୍ୱର, ୧୦ ଅଗଷ୍ଟ (ଖବର ଓଡ଼ିଶା):

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ  ଶୁକ୍ରବାର ଅପରାହ୍ନ ୫.୩୦ମି. ସମୟରେ ଓଡ଼ିଶା ବିଜ୍ଞାନ ଏକାଡେମି ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଏକାଡେମୀର ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ୨୦୧୭ ମସିହା ପାଇଁ ୧୨ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ।   

ପ୍ରଫେସର ବିପିନ ବିହାରୀ ସ୍ୱାଇଁ, ଅରୁଣା କୁମାରୀ ମିଶ୍ର, ସୁରେନ୍ଦ୍ର କୁମାର ରାୟ, ରମେଶ ଚନ୍ଦ୍ର ପରିଡ଼ା ଏବଂ ଶିବ ପ୍ରସାଦ ରଥଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତି ଏବଂ ପ୍ରଫେସର ଦେବବ୍ରତ ଦାଶଙ୍କୁ ମିଳିତ ଭାବେ ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ଦିଆଯାଇଥିଲା। ପୁରସ୍କାର ରାଶି ସ୍ୱରୂପ ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ଟଙ୍କା, ରୌପ୍ୟ ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତରୀୟ ପ୍ରଦାନ ଦିଆଯାଇଥିଲା। ସେହିପରି ପ୍ରଫେସର ବିଦ୍ୟୁତ କୁମାର ଦାସ ଏବଂ ପ୍ରଫେସର ସୁଭାଶିଷ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ସାମନ୍ତ ଚନ୍ଦ୍ର ଶେଖର ପୁରସ୍କାର ଦେଇଥିଲେ । ଏହି ଦୁଇ ବୈଜ୍ଞାନିକଙ୍କୁ ପୁରସ୍କାର ରାଶି ଭାବେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା, ରୌପ୍ୟ ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତରୀୟ ପ୍ରଦାନ କରାଯାଇଥିଲା। ଶ୍ରାବଣୀ ମିଶ୍ର, ପ୍ରଜ୍ଞା ରଞ୍ଜନ ରାଉତ ଏବଂ ଡକ୍ଟର ସବ୍ୟସାଚୀ ମିଶ୍ରଙ୍କୁ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ଦିଆଯାଇଥିଲା। ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ଓ ଉତରୀୟ ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା ।  

ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ଏକାଡେମୀର ସମ୍ପାଦକ ଡକ୍ଟର ପ୍ରଫୁଲ୍ଲ କୁମାର ଭଞ୍ଜ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

  • Tags:

Subscribe

National International State Sports Entertainment