Home >
ମେକ୍ ଇନ୍ ଓଡିଶା କେବଳ ଆତ୍ମପ୍ରଚାର ପାଇଁ, ଓଡିଶାର ରେଳବିକାଶ ସହ ଶିଳ୍ପବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: ବିଜେପି
Khabar Odisha:BJP-Again-Target-Odisha-Government-About-Make-In-Odisha
ଭୁବନେଶ୍ୱର,୦୯ ନଭେମ୍ବର(ଖବର ଓଡ଼ିଶା):

 ରେଳଭିତିଭୂମିର ବିକାଶ ସହ ଦେଶ ଓ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶ ଅଙ୍ଗାଙ୍ଗୀ ଭାବେ ଜଡିତ । ୫ ବର୍ଷର ମୋଦୀ ଶାସନରେ ଓଡିଶାର ରେଳବିକାଶ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନକରିବା କାରଣରୁ ଓଡିଶାର ରେଳବିକାଶ ସହ ଶିଳ୍ପବିକାଶ ପ୍ରଭାବିତ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ରାଜ୍ୟ ସରକାର ମେକ୍ ଇନ୍ ଓଡିଶା କନକ୍ଲେଭ୍ କରି ଶିଳ୍ପ ବିକାଶ ପାଇଁ ପୁଞ୍ଜିନିବେଶ କାରୀଙ୍କ ଆମନ୍ତ୍ରଣରେ ଶହଶହ କୋଟି ଖର୍ଚ୍ଚ କରୁଛନ୍ତି । ମାତ୍ର ଶିଳ୍ପ ବିକାଶ ଭିତିଭୂମି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅନେକ ରେଳ ପ୍ରକଳ୍ପକୁ ସ୍ଥାଣୁ, ଅପାରଗ ହୋଇ କ୍ରିୟାନ୍ୱୟନକୁ ବିଳମ୍ବିତ କରିବାରେ ବାଧ୍ୟ ବାଧକତାର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ କରିବାରେ ବିଳମ୍ବ କାରଣରୁ ରାଜ୍ୟର ଅନ୍ୟୁନ ୭ଟି ରେଳ ପ୍ରକଳ୍ପ କାମ ଆଗକୁ ବଢିପାରୁନାହିଁ । ଏହି ୭ ଟି ରେଳ ପ୍ରକଳ୍ପର ମୋଟ ଦୈର୍ଘ୍ୟ ୧୦୪୨ କିମି । ଏଥିରେ ୧୨,୩୨୧ କୋଟିଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପକଳ୍ପ ଗୁଡିକର ସମ୍ପୂର୍ଣ ବିବରଣୀ ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଖୋର୍ଦ୍ଧାରୋଡ – ବଲାଙ୍ଗୀର – ୨୮୯ କିମି – ୩୭୯୧ କୋଟି । ତାଳଚେର –ବିମଳାଗଡ – ୧୫୪ କିମି – ୧୯୨୮ କୋଟି । ହରିଦାସପୁର - ପାରାଦ୍ୱୀପ - ୮୨ କିମି – ୧୮୪୪ କୋଟି । ଅନଗୁଳ – ସୁକିନ୍ଦା – ୯୯ କିମି – ୧୨୦୩ କୋଟି ଟଙ୍କା । ଏହି ସମସ୍ତ ରେଳ ପ୍ରକଳ୍ପ ଓଡିଶାର ଶିଳ୍ପ ବିକାଶ, ବ୍ୟବସାୟ, ବାଣିଜ୍ୟ ବୃଦ୍ଧି ଓ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ ।

ରାଜ୍ୟ ସରକାର ମେକ୍ ଇନ ଓଡିଶା କନକ୍ଲେଭ କରୁଥିବା ବେଳେ ରେଳ ବିକାଶ ପାଇଁ ପ୍ରଚୁର ଅର୍ଥ ଉପଲବ୍ଧ ଥିବାବେଳେ ରାଜ୍ୟ ସରକାରଙ୍କର ଉପଯୁକ୍ତ ପଦକ୍ଷେପ ନନେବା କାରଣରୁ ଏହା ପ୍ରସ୍ତାବିତ ଶିଳ୍ପାୟନକୁ କ୍ଷତି ପହଁଚାଉଛି , ଏକଥା ସରକାର ସ୍ୱୀକାର କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ମୋଦି ସରକାର ଓଡିଶା ସମେତ ପୂର୍ବ ଭାରତର ଭିତିଭୂମିର ଦୃଢ ବିକାଶ ପାଇଁ ନୀତିଗତ ନିଷ୍ପତି ନେବା କାରଣରୁ ଓଡିଶା ଭଳି ରାଜ୍ୟର ରେଳପଥ ଓ ସଡକ ପଥ ବିକାଶ ପାଇଁ ନୂଆ ସୁଯୋଗର ସୁତ୍ରପାତ ହୋଇଛି । ଶ୍ରୀ ହରିଚନ୍ଦନ କହିଛନ୍ତି ଉପାର ୧୦ ବର୍ଷ ଶାସନରେ ବର୍ଷକୁ ରାଜ୍ୟର ରେଳବିକାଶ ପାଇଁ ହଜାରେ କୋଟିଟଙ୍କା ମିଳୁନଥିବା ବେଳେ କେବଳ ଚଳିତବର୍ଷ ରେଳବଜେଟରେ ୫ ହଜାର ୨ ଶହ କୋଟି ବ୍ୟୟବରାଦ କରାଯାଇଛି । ଉପାର ଶେଷ ୫ବର୍ଷ ଶାସନରେ ଓଡିଶାର ରେଳବିକାଶ ପାଇଁ ୪୧୯୦ କୋଟିଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୋଦି ସରକାରଙ୍କ ୫ଟି ରେଳବଜେଟରେ ଓଡିଶା ପାଇଁ ସର୍ବକାଳୀନ ରେକର୍ଡ ୨୦ ହଜାର ୨୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Subscribe

National International State Sports Entertainment