Home >
କଶ୍ମୀର ଘାଟିରେ ଆତଙ୍କୀ, ହାଇ ଆଲର୍ଟ ଜାରି
Khabar Odisha:Army-operation-near-LoC
ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନକୁ ବିଫଳ କରିବା ପାଇଁ ଆତଙ୍କୀମାନେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ, ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଶ୍ମୀରରେ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଆତଙ୍କୀମାନେ ସୋପିଆରେ ସିଆରପିଏଫ ଶିବିର ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଖୁସିର ବିଷୟ ଯେ, ଏହି ଘଟଣାରେ କାହାରି କିଛି ଅସୁବିଧା ହୋଇ ନଥିଲା । ଆତଙ୍କୀମାନଙ୍କୁ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା । ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିବା ଜଣାପଡ଼ିଛି ।  

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଗତ କିଛି ଦିନ ହେବ ପାକିସ୍ତାନ ନିୟମିତ ଭାବରେ ଅସ୍ତ୍ରବିରତି ଉଲଂଘନ କରୁଛି । ସୀମା ଉଲଂଘନ କରି ଭାରତ ମାଟିକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ୩୧ରେ ଜମ୍ମୁ କଶ୍ମୀରର ପୁଲୱାମାରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଅବନ୍ତିପୁରାର ଲିଥପୋରାରେ ସିଆରପିଏଫ ଯବାନଙ୍କ ଶିବିରକୁ ଆକ୍ରମଣ କରିଥିଲେ । 

ଟ୍ରେନିଂ କ୍ୟାମ୍ପରେ ହୋଇଥିିବା ଆକ୍ରମଣରେ ୫ ଭାରତୀୟ ଯବାନ ସହିଦ ହୋଇଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀମାନେ ୩ଜଣ ଆତଙ୍କୀଙ୍କୁ ନିହତ କରିଥିଲେ । ୫ଜଣ ଯବାନ ସହିଦ ହେବା ଘଟଣା ପାଇଁ ଜୈଶ-ଏ-ମୋହମ୍ମଦ ନିଜକୁ ଦାୟୀ କରିଥିଲା । 

ବର୍ଷ ୨୦୧୭ରେ ଆତଙ୍କୀ ମୂଳ ପୋଛ କରିବା ଅଭିଯାନରେ ସୁରକ୍ଷାକର୍ମୀମାନେ ୨୦୬ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି । ସେହିଭଳି ସଚେତନତା ଅଭିଯାନ ବଳରେ ୭୫ ଜଣ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରୁ ଫେରାଇ ଅଣାଯାଇଛି । ସୂଚନାଯୋଗ୍ୟ, ସେନା ଘାଟିରେ ୨୫୮ଜଣ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରିଥିଲା । ୨୦୧୬ରେ ୧୪୮ଜଣ ଆତଙ୍କୀ ଓ ୨୦୧୫ରେ ୧୦୮ଜଣ ଆତଙ୍କୀ ନିହତ ହୋଇଥିଲେ । 

 

 

  • Tags:

Subscribe

National International State Sports Entertainment