ସରଗରମ କଲେଜ କ୍ୟାମ୍ପସ୍‌, ଚାଲିଛି ନାମାଙ୍କନ ଦାଖଲ
Khabar Odisha:Candidates-deposit-namination-today
ଭୁବନେଶ୍ୱର, ଅକ୍ଟୋବର ୩(ଖବର ଓଡ଼ିଶା):

ସରଗରମ ହେଉଛି କଲେଜ କ୍ୟାମ୍ପସ୍‌ । ପାରମ୍ପାରିକ ବାଦ୍ୟ, ବାଜା ଓ ଗୀତର ତାଳେ ତାଳେ ନାଚୁଛନ୍ତି ଛାତ୍ରଛାତ୍ରୀ । କଲେଜର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ପ୍ରାଥମିକତାରେ ରଖି ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଆଜି ନିଜ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ କରୁଛନ୍ତି ଆଶାୟୀ ପ୍ରାର୍ଥୀ । ରାଜ୍ୟର କାଁ ଭାଁ କେତୋଟି କଲେଜକୁ ଛାଡ଼ିଦେଲେ ସମସ୍ତ କଲେଜରେ ପ୍ରାର୍ଥୀମାନେ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । 

ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସ୍‌ ଉଠୁଛି ପଡ଼ୁଛି । ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଲିଙ୍ଗଡୋ କମିଶନଙ୍କ ଆଇନ ଅନୁଯାୟୀ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ଏହା ପରେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତାକାଲି ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । 

ତେବେ ଗତକାଲି ଯାଜପୁର ଏସ୍‌. ଏନ୍‌ କଲେଜରେ ଛାତ୍ରୀନିବାସ ପାଚେରୀ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମା ମାଡ଼ କିଏ ଓ କାହିଁକି କରିଛି ଜଣାପଡ଼ି ନଥିବାବେଳେ ପୋଲିସ ତଦନ୍ତ ଜାରି କରିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜ୍ୟର ତିନି ପ୍ରମୁଖ ବିଶ୍ୱବିଦ୍ୟାଳୟ ବାଣୀ ବିହାର, ଜ୍ୟୋତି ବିହାର ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ୧୨ଟି କଲେଜରେ ବିଶୃଙ୍ଖଳାକୁ ନଜରରେ ରଖି ନିର୍ବାଚନ ବାତିଲ କରାଯାଇଛି ।

Subscribe

National International State Sports Entertainment