ଗୋଟିଏ ଦିନରେ ୩ ଲଜ୍ଜା: ବାଲେଶ୍ୱରରେ ଦିବ୍ୟାଙ୍ଗ ନାବାଳିକାକୁ ବଳାତ୍କାର, ଯାଜପୁରରେ ଦୁଷ୍କର୍ମ ପରେ ହତ୍ୟା, ଏଟିଏମ୍‌ରେ ଗଣଦୁଷ୍କର୍ମ
Khabar Odisha:three-rape-case-in-one-day-in-state
ଭୁବନେଶ୍ୱର, ନଭେମ୍ବର ୧୯(ଖବର ଓଡ଼ିଶା):

ରାଜ୍ୟରେ ଦୁଷ୍କର୍ମ ପରି ମାନସିକ ବ୍ୟାଧି ଦିନକୁ ଦିନ ବଢ଼ିବାରେ ଲାଗିଛି । ଘର ହେଉ ଅବା ବାହାରେ କିମ୍ବା ବିଦ୍ୟାଳୟ ସବୁଠି ଝିଅମାନେ ଏବେ ଅସୁରକ୍ଷିତ । କେତେବେଳେ ନିଜ ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହେଉଛନ୍ତି ତ ଆଉ କେତେବେଳେ ଅସାମାଜିକ ଲୋକଙ୍କ ଦ୍ୱାରା । ତେବେ ଆଜି ଗୋଟିଏ ଦିନରେ ତିନି ତିନୋଟି ଏଭଳି ଲଜ୍ଜାଜନକ ଓ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ଯାଜପୁରରେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଛି । ଅନ୍ୟପକ୍ଷରେ କଟକରେ ମହିଳାଙ୍କୁ ଏଟିଏମ୍‌ ଭିତରେ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । 

ବାଲେଶ୍ୱର ଜଳେଶ୍ୱର ଡୋଗରା ସ୍ଥିତ ଆବାସିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ଜଣକ ଗତ ଶନିବାରଠାରୁ ନିଖୋଜ ଥିଲେ । ଆଜି ସକାଳୁ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରଥମେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେହିପରି ଯାଜପୁର ବିଂଝାରପୁର ଅଂଚଳରେ ଜଣେ ନାବାଳିାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ନାବାଳିକାଙ୍କର ମୃତଦେହକୁ ଏକ ପରିତ୍ୟକ୍ତ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ନାବାଳିକାର ଜଣେ ସମ୍ପର୍କୀୟଙ୍କ ନାଁରେ ଏତଲା ଦିଆଯାଇଥିବାବେଳେ ତାଙ୍କୁ ଅଟକ ରଖାଯାଇଛି ।

ଅନ୍ୟପକ୍ଷରେ ଜନଗହଳିପୂର୍ଣ୍ଣ କଟକ ସହର କଲେଜ ରୋଡ ପିଲିଗ୍ରୀମ ରୋଡରେ ଥିବା ଏଟିଏମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ମହିଳାଙ୍କୁ ଯୋବ୍ରା ଆନ୍ନିକଟ ନିକଟରେ ଅଭିଯୁକ୍ତମାନେ ଫୋପାଡି ଦେଇ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ମାଲଗୋଦାମ ଥାନାରେ ମହିଳା ଜଣକ ଏତଲା ଦେବା ପରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ମହିଳା ଅଭିଯୋଗ କରିଛନ୍ତି । ଏହି ଜଘନ୍ୟ ଘଟଣାରେ ଏଟିଏମର ସିକ୍ୟୁରିଟି ଗାର୍ଡ ଓ ତାର ଜଣେ ସାଙ୍ଗ ଅଟୋ ଚାଳକକୁ ଅଟକ ରଖାଯାଇଛି । ମାଲଗୋଦାମ ଥାନା ପୋଲିସ ତଦନ୍ତ ଜାରି ରଖିଛି । 

Subscribe

National International State Sports Entertainment