ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯ୍ୟାତନା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ
Khabar Odisha:school-head-master-suspended-on-sexual-harassment-case
କଳାହାଣ୍ଡି, ଡିସେମ୍ବର ୧୯(ଖବର ଓଡ଼ିଶା):

ପୁଣି ଥରେ ଗୁରୁ ନାଁ ଲାଗିଛି କଳଙ୍କ । ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ପଦାକୁ ଆସିଛି । ଥୁ. ରାମପୁର ବ୍ଲକ ଶ୍ରୀମସ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ନିଲମ୍ବନ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି ।

ସିରିମସ୍କା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୮ ବର୍ଷ ଧରି ବାଳକୃଷ୍ଣ ପ୍ରଧାନଶିକ୍ଷକ ଭାବରେ କାମ କରୁଥିଲେ । ପୂର୍ବରୁ ଅନେକ ଥର ତାଙ୍କ ନାଁରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲେ ମଧ୍ୟ ତାହା ଗୁରୁତ୍ୱର ସହକାରେ ନିଆଯାଇ ନ ଥିଲା । ଗତକାଲି ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ଗତ ଗଣେଶ ପୂଜାରେ ଛାତ୍ରୀଙ୍କ ସହିତ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିଲେ । ଯଦି ଏକଥା ପ୍ରଘଟ ହୁଏ ତେବେ ମାଟ୍ରିକ୍‌ ଦେଇପାରିବୁ ନାହିଁ ବୋଲି ଶିକ୍ଷକ ଜଣକ ଧମକ ଦେଇଥିଲେ । ଫଳରେ ଭୟରେ ଛାତ୍ରୀ ଜଣକ କାହାକୁ କହି ନ ଥିଲେ । କିନ୍ତୁ ଛାତ୍ରୀ ଜଣକ ପରିବାରକୁ ଜଣାଇବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲା । ଏହା ପରେ ଅବିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଆଜି ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । 

ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବାକୁ  ଦଳିତ ସମାଜ ପକ୍ଷରୁ ଦାବି ହୋଇଛି । ବ୍ୟଭିଚାରୀ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି । ଅନ୍ୟପକ୍ଷରେ ଛାତ୍ରୀଙ୍କର ଡାକ୍ତରୀ ମାଇନା କରାଯିବା ସହିତ ବୟାନ ରେକର୍ଡ କରାଯାଇଛି । ମାମଲାର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରାଯାଇ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯିବ ବୋଲି ଭବାନୀପାଟଣା ଏସ୍‌ଡିପିଓ ବିରଞ୍ଚି ନାରାୟଣ ଦେହୁରୀ ସୂଚନା ଦେଇଛନ୍ତି । 

Subscribe

National International State Sports Entertainment