ତିନ୍‌ ତଲାକ୍‌ ଦଣ୍ଡନୀୟ ଅପରାଧ, ଅଧ୍ୟାଦେଶକୁ ମିଳିଲା କ୍ୟାବିନେଟ୍‌ ମଂଜୁରୀ
Khabar Odisha:central-government-has-approved-triple-talaq-ordinance
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡ଼ିଶା):

ମୁସଲମାନ ମହିଳାଙ୍କ ପାଇଁ ଏକ ଐତିହାସିକ ଦିନ । ତିନ୍‌ ତଲାକ୍‌ (ତଲାକ୍‌ -ଏ-ବିଦ୍ଦତ୍‌) ଏକ ଦଣ୍ଡନୀୟ ଅପରାଧ ଆଇନରେ ପରିଣତ ହୋଇଛି । ଏହି ଅଧ୍ୟାଦେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁର କରିଛନ୍ତି । ତିନ୍‌ ତଲାକ୍‌ ବିଲ୍‌ରେ ଆବଶ୍ୟକୀୟ ସଂଶୋଧନ କରାଯିବା ପରେ ଆଜି କ୍ୟାବିନେଟ୍‌ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍‌ ବୈଠକରେ ପରେ ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ଏହା ଆସନ୍ତା ୬ ମାସ ପର୍ୟ୍ୟାନ୍ତ ବଳବତ୍ତର ରହିବ । ଏହାରି ମଧ୍ୟରେ ଅଧ୍ୟାଦେଶ ସଂସଦରେ ପାରିତ ହେବା ଜରୁରୀ ଅଟେ ।

ରବି ଶଙ୍ଗର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆଇନର ସବିଶେଷ ତଥ୍ୟ ଦେଇଛନ୍ତି । ଯଦି ଜଣେ ମୁସଲିମ୍‌ ମହିଳା ତଲାକ ପାଇବା ପରେ ନିଜେ ଅଭିଯୋଗ କରେ ତେବେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ତୁରନ୍ତ ଗିରଫ କରିବ ।  ଏହା ସହିତ ନିଜ ରକ୍ତ ସଂପର୍କୀୟ କିମ୍ବା ବିବାହ ସହିତ ଜଡ଼ିତ ଥିବା ସଦସ୍ୟମାନେ ମଧ୍ୟ ଅଭିଯୋଗ କରିପାରିବେ । ପଡ଼ୋଶୀ କିମ୍ବା କୌଣସି ଅଜଣା ସଂପର୍କୀୟ ଏତଲା ଦେଇ ପାରିବେ ନାହିଁ । ସେହିପରି ଏହି ବିଧେୟକ ମହିଳାମାନଙ୍କୁ ସଶକ୍ତିକରଣ କରାଇବାକୁ ଅଣାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଆଇନରେ ଆପୋଷ ବୁଝାମଣା କରିବାର ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଏହା କେବଳ ପତ୍ନୀର ସହମତି ହେବ । ଜଣେ ମାଜିଷ୍ଟ୍ରେଟଙ୍କ ଉଚିତ ସର୍ତ୍ତ ରଖାଯାଇ ବୁଝାମଣା କରିହେବ । ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ଦେବାର ମାଜିଷ୍ଟ୍ରେଟ୍‌ଙ୍କର ଅଧିକାର ରହିଛି । କିନ୍ତୁ ସ୍ତ୍ରୀର ସମସ୍ତ ପକ୍ଷ ଶୁଣିବା ପରେ ଜାମିନ ଦେବେ । ତେବେ ଛାଡ଼ପତ୍ର ପରେ ମା’ ନିକଟରେ ଛୋଟ ପିଲା ରହିବେ । ଉଭୟ ମା’ ଓ ପିଲାଙ୍କ ସମସ୍ତ ଭରଣ ପୋଷଣ ସ୍ୱାମୀ ଦେବେ ବୋଲି ଆଇନ୍‌ରେ ରହିଛି । 

ଏହା ପୂର୍ବରୁ ସୁପ୍ରିମକୋର୍ଟ ତିନ୍‌ ତଲାକ୍‌କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ । ତେବେ ଲୋକସଭାରେ ମୁସଲିମ ମହିଳାଙ୍କ ବିବାହ ଅଧିକାର ସଂରକ୍ଷଣ ବିଧେୟକ ପାରିତ ହୋଇଥିବାବେଳେ କିନ୍ତୁ ରାଜ୍ୟସଭାରେ ଝୁଲି ରହିଥିଲା । ସେଥିପାଇଁ କେନ୍ଦ୍ର ସରକାର ଏହାକୁ ଆଇନ୍‌ରେ ପରିଣତ କରି ଅଧ୍ୟାଦେଶ ଆଣିବାକୁ ଚିନ୍ତା କରିଥିଲେ । ତେବେ ଏହି ଅଧ୍ୟାଦେଶ ଏବେ ୬ ମାସ ମଧ୍ୟରେ ଗୃହରେ ପାରିତ ହେବା ଜରୁରୀ ଅଟେ । 

ଅନ୍ୟପକ୍ଷରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ର ସରକାର ତିନ୍‌ ତଲାକ୍‌କୁ ମହିଳାଙ୍କ ନ୍ୟାୟ ପାଇଁ ନୁହେଁ ବରଂ ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ଆଣିଛନ୍ତି ବୋଲି କହିଚନ୍ତି । ଜାବାବରେ ରବିଶଙ୍କର କହିଛନ୍ତି କି କଂଗ୍ରେସ ନିଜର ଭୋଟ ବ୍ୟାଙ୍କ୍‌ ପାଇଁ ବିଲକୁ ସମର୍ଥନ କରୁନାହିଁ ।

  • Tags:

Subscribe

National International State Sports Entertainment